ଭିଖାରିଙ୍କ ଧାରଣା
ଭିଖାରିଙ୍କ ଧାରଣା
‘ଟଙ୍କାଟିଏ ଥିଲେ ଦିଅ ବାବୁ’, ବୋଲି
କହିଲା ଭିଖାରି ଆସି
‘କାଲି ସନ୍ଧ୍ୟାବେଳୁ ଖାଇନି କିଛି ମୁଁ,
ଭୋକେ ପେଟ ଯାଏ ପଶି ।’
ନାକ ଟେକି ବାବୁ ଚାହିଁଲେ ତା’ ଆଡେ,
କହିଲେ ‘ହଟିଯା’ ଦୂରକୁ
ସକାଳୁ ସକାଳୁ ଜୁଟିଲୁଣି ଆସି, ଦିନ
ବିତିବ କେମିତି ଆଗକୁ !
ସଳଖ ସୁନ୍ଦର ଭେଣ୍ଡିଆ ହେଇକି, ଭିକ ମାଗୁ ନାହିଁ ଲାଜ
ଭିକମଗା ଏକ ଛୋଟ କାମ ବୋଲି
ମନେ ନକରୁ କି ହେଜ !
ହାତଗୋଡ ଅଛି ସହି ସଲାମତ
କାହିଁ ଲାଗୁନାହୁଁ ମୂଲ
ପେଟ ପାଇଁ ଝାଳ ବୁହାଇଲେ ହେବୁ
ରଜା ସଙ୍ଗେ ସମତୂଲ ।
ପାଠ ଦି’ ଅକ୍ଷର ପଢିଥିଲେ କାମ
କରିଥାନ୍ତୁ ଅଫିସିରେ
ପାଠକୁ ଠୋକର ମାରିଥିଲୁ ବୋଲି,
ବୁଲୁଛୁ ରାଜରାସ୍ତାରେ ।‘
“ଥାଉ ଥାଉ, ଏତେ ଉପଦେଶ ଆଉ
ଶୁଣାନା ସକାଳଟାରୁ
ଟଙ୍କାଟିଏ ମାତ୍ର ମାଗିଥିଲି, କାହିଁ
ହୁଏ ଏତେ ଗାରୁ ଗାରୁ !
ନ ଦବାକୁ ଥିଲା, ପ୍ରଥମରୁ କହି
ଯାଇଥାନ୍ତ ନିଜ ବାଟେ
ଚାହିଁ କିଏ ବସିରହିଛି ବ୍ୟାକୁଳେ
ତୁମରି ଭରା ପକେଟେ !
ତୁମ ଧନ୍ଦା ବଡ ତୁମ ପାଇଁ, ହେଲେ
ଆମକୁ ଆମର ବଡ
ବିନା ମୂଳଧନେ ବ୍ୟବସାୟ ଇଏ
ସହଜ ନୁହେଁ ଯୋଗାଡ ।
ପ୍ରତିଯୋଗିତାର ଦୁନିଆ ଭିତରେ
ତିଷ୍ଠିବାକୁ ହେଲେ ବାବୁ
ଭିକମଗା ଠାରୁ କଷ୍ଟିଆ କାମଟେ
ନାହିଁ ଏ ଜଗତେ ଆଉ !
କିଏ ନ ମାଗୁଛି ଭିକ ଆଜି କୁହ,
ଅଛି କି କେହି ନଜରେ
ଯେତେ ଯିଏ ଭଦ୍ର ପୋଷାକ ପିନ୍ଧଇ
ମଗା ତା’ ସେତେ ଉଚ୍ଚରେ ।
ପାଞ୍ଚ ବରଷରେ ନେତାଏ ଆସନ୍ତି
ହାତ ଯୋଡି, ମୁଣ୍ଡ ଲୋଇଁ
ଗୋଟିଏ ଭୋଟ୍ ର ଆଶାରେ ବୁଲନ୍ତି
ଘର ଘର ସାଇ ସାଇ ।
ପିଅନ ମାଗଇ ଫାଇଲ୍ ଥୋଇବାକୁ
ସାହେବଙ୍କ ଟେବୁଲୁରେ
ସାହେବ ମାଗନ୍ତି ଦସ୍ତଖତଟାଏ
ମାରିବାକୁ ଫାଇଲିରେ ।
ସାଆର୍ ମାଗନ୍ତି, ପିଲାଏ ମାଗନ୍ତି,
ମାଗନ୍ତି ବି ବରଘର
ସେମାନଙ୍କ କାମ ଆମ ଠାରୁ ଛୋଟ
ତଥାପି ସେମାନେ ବଡ ?
ତୁମ କଥା କ’ଣ ମତେ କି ଅଜଣା
ହାତ ପାତ ବନ୍ଧୁ ଆଗେ
ମାସର ଅନ୍ତିମ ସପ୍ତାହ ବେଳକୁ
କାମୁଡ ବିଦାର ରାଗେ ।
ଏତେ ପାଠ ପଢି କି ଲାଭ ପାଇଲ
ରହିଛ ମାରିକି ମନ
ଯାହା ମୁଁ କରୁଛି ରାସ୍ତାରେ ତୁମେ
କର ସେଠି ରାତିଦିନ ।
ଆମେ ମାଗୁ ପେଟ ଭୋକ ମାରିବାକୁ
ତୁମେ ତ ଅୟସ ପାଇଁ
ଆମର ସନ୍ତୁଷ୍ଟି ଟଙ୍କାଏରେ ତୁମ
ଲୋଭ ବଢେ ଘାଇଁ ଘାଇଁ ।
ମନ୍ତ୍ରୀ ଠାରୁ ତନ୍ତ୍ରୀ ସମସ୍ତେ ଭିଖାରି
ତଥାପି ଚାଲନ୍ତି ଗର୍ବେ
ଟଙ୍କାଟିଏ ମାତ୍ର ମାଗୁ ବୋଲି ଆମେ
ଶୁଣେଇ ଦିଅନ୍ତି ସର୍ବେ !
ବହୁତ ସହିଲୁ ସମସ୍ତଙ୍କ ତୋଡ
ସହି ନପାରିବୁ ଆଉ
ମଗାମଗି କରି ଚଳନ୍ତି ସମସ୍ତେ
ଆମେ ବଦନାମ ହେଉ ।
କହି ଦଉଅଛୁ, ଶୁଣ ସୁଧିଜନେ
ନ ଭାବ ଏହାକୁ ମିଛ
‘ଭିକାରି’ ଶବ୍ଦକୁ ଅପମାନ କଲେ
ଫଳ ହେବ ବଡ ବିଷ ।
ବିଧାନସଭାର ଆଗାମୀ ସତ୍ରରେ
ପଦ ମର୍ଯ୍ୟାଦା ପାଇଁ
ଅଖିଳ ଭାରତ ଭିଖାରି ସଦସ୍ୟ
ଧାରଣେ ବସିବେ ଯାଇ !
-0-