STORYMIRROR

Narayan chandra Senapati

Others

3  

Narayan chandra Senapati

Others

ବହି

ବହି

1 min
658



ଧନ୍ୟ ତୁ ବିନ୍ଧାଣି ଗଢିଲୁ ବିଜ୍ଞାନୀ

କାଗଜରେ ଦେଲୁ ଥୋଇ

ଅକ୍ଷର ଶବଦ ବାକ୍ୟକୁ ସଜାଡି

ନାମ ତୁ ପାଇଲୁ ବହି॥

ଜ୍ଞାନ ବୁଦ୍ଧିଭରା ସଜ ଫରୁଆ ତୁ

ଶୋଇ ଲୁଚି ହସୁଥାଉ

ସରାଗେ ଆନନ୍ଦେ ଖୋଲେ ଯିଏ ତୋତେ

ସ୍ନେହେ ପାଠ ବାଣ୍ଟୁଥାଉ॥

କେଡେ କୂଶଳୀ ତୁ ସୂଚୀପତ୍ର ଦେଇ

ଖଞ୍ଜିଲୁ କେତେ ପ୍ରସଙ୍ଗ

ସେ ପ୍ରସଙ୍ଗେ ଜ୍ଞାନ ବୁଦ୍ଧି ରଙ୍ଗ ରୂପେ

ବିଚିତ୍ର ବିବିଧ ଅଙ୍ଗ॥

ତୋତେ ଦେଖି ପଢି ବୁଝି ବା ଅରଜି

ନିଜ ଆଉ ପରିବେଶ

ଶିଖାଉ ଚଲାଉ ଆନନ୍ଦ ଭରି ତୁ

କଷ୍ଟ ତେଜି ଦେଉ ହସ॥

ମୂର୍ଖ ପାଇଁ ତୁ ରେ କାଗଜ ଅକ୍ଷର

ବିଦ୍ୱାନ ପାଇଁ ଦେବତା

ଅଜ୍ଞାନ ଅନ୍ଧର ଆଖି ପଟି ଖୋଲୁ

ଅନ୍ଧାରେ ଜାଳୁ ବଳିତା ॥

ଶିଖାଇ ଗଣିତ ବିଜ୍ଞାନ ଭୂଗୋଳ

ଶକ୍ତ କରୁ ଜାତି ପ୍ରାଣ

ସାହିତ୍ୟ ସଂସ୍କୃତି ଇତିହାସ ଦେଇ

ସଞ୍ଚିଲୁ ପ୍ରାଣ ସ୍ପନ୍ଦନ ॥

ଶିଖାଇଲୁ କେତେ ନୈତିକ ବିଭବ

ସାମାଜିକ ଆଧ୍ୟାତ୍ମିକ

ପ୍ରେମ ସ୍ନେହ ଦେଇ ଶ୍ରଦ୍ଧା ମମତାରେ

ଡାକିଲୁ ଶାନ୍ତିର ଡାକ ॥

ନ୍ୟାୟ ଦେଇ ସତ୍ୟ ପଥ ଶିଖାଉ ତୁ

କ୍ଷମାଚରି ବଡପଣ

ଏହାକୁ ଆଡେଇ ଜୀବନ ଗଢିଲେ

ଅନ୍ଧ ପରି ସଂଜ୍ଞାହୀନ॥

ତୋ ଅନ୍ତର ଲେଖା ଶକ୍ତ କରିଦିଏ

ଦେଶପ୍ରେମ ଓ ଏକତା

ନିର୍ଜୀବକୁ ଗଢୁ ସଜୀବ ସଶକ୍ତ

ଜାଳି ବିକାଶ ସଳିତା॥

ପାଠକ ଜାତିର ପ୍ରୀତିପୁଷ୍ପ ତୁହି

ପାଠିକାଙ୍କ ପୂଜାଥାଳି

ମା ବାଗ୍ଦେବୀ ତୁ, ବୁଦ୍ଧିଆ ଗଣେଶ

ରୂପେ ରଙ୍ଗେ ବା ବଦଳି॥

ପାଦେ ବାଜିଗଲେ ବିଷ୍ଣୁ କହୁ ତୋତେ

ସତେ ତୁହି ଭଗବାନ

ପୂଜା ପାର୍ବଣରେ ପୂଜା କରୁ ତୋତେ

କରୁ ନାମ ସଂକୀର୍ତ୍ତନ॥


*ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍