ଭଗତ ସିଂ
ଭଗତ ସିଂ
ଭାରତ ମାତା ର ଯଶସ୍ୱୀ ସୁପୁତ୍ର
ହେ ବୀର ଭଗତ ସିଂହ ପ୍ରବର
କାଳ ର ବକ୍ଷ ରେ ଇତିହାସ ରଚି
ହୋଇଅଛ ଆଜି ଚିର ଅମର
ଫାଶୀ ଖୁଣ୍ଟ ପରେ ଜୀବନ ଦେଇ
ଆପଣା ରକତେ ଲେଖି ଦେଇଅଛ
ବୀରତ୍ୱ ର ଗାଥା ବିଶ୍ୱ ଦେଖଇ ।
ମାଆ ର ଶୃଙ୍ଖଳ ଛିନ୍ନ କରିବାକୁ
ମାଟି ଛୁଇଁ ବଜ୍ର ଶପଥ କଲ
ଅସ୍ତ୍ର ର ଜବାଵ ଅସ୍ତ୍ର ରେ ଦେଇଣ
ଗୋରା ସିପାହୀ ର ଜୀବନ ନେଲ
ବିଚାର ଧାରା ଠୁ ହଟିଲ ନାହିଁ
କ୍ରାନ୍ତିକାରୀ ର ଭୂମିକା ରେ ସତେ
ବିପ୍ଳବ ର ବହ୍ନି ଜଳାଇ ଦେଲ।
ଇନକିଲାବ ର ଉର୍ଜ୍ଜି ଆହ୍ୱାନ
ଭାରତ ଭୂମିରେ ମନ୍ଦ୍ରିତ ହେଲା
ଦେଶପ୍ରେମ ବହ୍ନି ସବୁରି ହୃଦୟେ
ତେଜିୟାନ ହୋଇ ଜଳି ଉଠିଲା
ଦେଶ ଜନନୀ ର ବନ୍ଦନା ଗାଇ
ଭାରତ ମାତା ର ମାତୃଭକ୍ତ ବୀର
ସଂଗ୍ରାମ ମାଟି କୁ ପଡିଲେ ଡେଇଁ ।
ସାମ୍ରାଜ୍ୟ ବାଦ ର ନରକ ଯନ୍ତ୍ରଣା
ସହିବୁନି ଆମେ ମଥାକୁ ପାତି
ପରାଧୀନତା ର ଶୃଙ୍ଖଳ ଛିଣ୍ଡାଇ
ମୁକତି ସଂଗ୍ରାମେ ତେଜିବୁ ଭୀତି
ଦୁର୍ବାର ଶପଥ ବରଣ କରି
ଅଗ୍ନି ସ୍ଫୁଲିଙ୍ଗ ତେଜିଲା ସତେ କି
କାପୁରୁଷ ପଣ ଗଲାକି ମରି ।
ଫାଶୀ ଖୁଣ୍ଟ ପରେ ଠିଆ ହୋଇ ତୁମେ
ଦେଶବାସୀ ପାଖେ ରଖିଲ ଅଳି
ଜୀବନ ମୋ ଆଜି ଧନ୍ୟ ହୋଇଛି
ମା' ଲାଗି ଦେଉଛି ମୁଁ ପ୍ରାଣ ବଳୀ
ସ୍ୱାଧୀନ ସୁରୁଜ ଉଇଁ ଆସିବ
କାଳ କାଳ ଲାଗି ମୋ ଦେଶ ଜନନୀ
ମୋ ଲାଗି ଗରବେ ମଥା ଟେକିବ।
