ଭାରତବର୍ଷ
ଭାରତବର୍ଷ
ମୋ ପ୍ରିୟ ଦେଶ ଭାରତବର୍ଷ ,
ଏଠି ଘଟଣା , ଦୁର୍ଘଟଣା ଘଟେ ପ୍ରତି ମୂହୁର୍ତ୍ତ ।
ଏଠି ଯୁଦ୍ଧ ଚାଲୁଥାଏ ପ୍ରତି କ୍ଷଣ
ଶବ୍ଦରେ ,ନିଶବଦରେ ,
ବାକ୍ୟରେ ,ବିନା ବାକ୍ୟରେ ,
ପ୍ରେମରେ , ଶତ୍ରୁତାରେ ।
ଏଠି ଯୁଦ୍ଧ ଘଟେ ଶାନ୍ତି ପାଇଁ,
ପ୍ରେମ ପାଇଁ , ପରୀକ୍ଷା ପାଇଁ,
ସୀମାରେ , ସୀମା ବାହାରେ ।
ଏଠି ସହିଦମାନଙ୍କ ମୃତ୍ୟୁ ହୁଏ ଦୁର୍ଘଟଣା ,
ଶତୃମାନଙ୍କ ଶବ ସଂଖ୍ୟାର ପ୍ରମାଣ ମଗାଯାଏ ବାରମ୍ବାର ,
ସହିଦଙ୍କ ସାହସର ଗଣନା ନିରବ , ନିଶବ୍ଦ ।
ଆମ ବିରୋଧୀ ଆମ ଦେଶର ନେତା ,
କିଛି କିଛି ପ୍ରଜା, କିଛି ସାମ୍ବାଦିକ ।
ଶତ୍ରୁ କିଏ ତୋର ,
ମୋ ପ୍ରିୟ ଭାରତବର୍ଷ !
ସ୍ଵାର୍ଥଙ୍କ ଗହଳିରେ ସନ୍ଦିହାନ ପ୍ରଜା ,
ନିର୍ବାଚନ ଇସ୍ତାହାରର ନେତା ,
କିଏ ଜାଣେ ,
ମୋ ଦେଶ ହି ମୋ ଦେଶର ଶତ୍ରୁ ।
ଏଠି ଭାଷଣରେ ଯୁଦ୍ଧ ,
ରାସ୍ତାରେ ଯୁଦ୍ଧ,
ବାକ୍ୟରେ ଯୁଦ୍ଧ,
ସେପଟେ ସହିଦ ଜନତା
ଆମ ଦେଶର ସୈନିକ ।
କାହାକୁ ବି କହି ହୁଏନି କିଛି ,
ସବୁ କିଛି ବଣ୍ଟା ଯାଏ ମାଗଣାରେ ,
କିଛି କିଛି ଭତ୍ତା ,
କିଛି ଛତା , କିଛି ପୋଷାକ ,
ଏଠି ଶିକ୍ଷା ବି ମାଗଣା
ବିନା ସାଧନାରେ,
ବିନା ନିଷ୍କର୍ଷରେ
ମୃତ୍ୟୁ ବି ମାଗଣା ।
କିଏ ମୋ ଦେଶର ଲୋକ !
ସେମାନଙ୍କୁ ଖୋଜି ପାରେ ନାହି
ସାହିରେ , ବସ୍ତିରେ ,ଛାଇରେ ,
ଛକମାନଙ୍କରେ ଯେଉଁଠି ନେତା ଭାଷଣ ଦିଅନ୍ତି ,
ସ୍ମୃତିରେ ଯେଉଁଠି ମୋ ଦେହର ଲହୁ ନୃତ୍ୟ କରୁଥାଏ ,
ସେମାନଙ୍କ ପ୍ରତିଛବି ହିଁ ଘୂରୁଥାଏ
ମସ୍ତିସ୍କରେ ମୋର ।
ଖାଲି ଯାହା ଶୁଭୁଥାଏ
ସେମାନଙ୍କ ଚିତ୍କାର ହା-ହୁତାସର ,
ସେମାନଙ୍କ କଣ୍ଠ ଭିକ୍ଷୁକର
ଯୁଗ ଯୁଗର ଅୟୁତ ଅୟୁତ ଭୋକ ।
କେହି କିଛି ବି କହନ୍ତିନି
କଣ ହଜାଇଛି ମୋ ଦେଶ,
କିଏ ମୋ ଦେଶର ଜନତା !
ଚାଲ! କିଛି କ୍ଷଣ ଶୋଇଯିବା ଅନ୍ଧାରରେ ,
ହୁଏତ ଉଠିବା ପରେ
ସବୁ କିଛି ସତେଜ ହେଇ ସାରିଥିବ ,
ଆମେ ସବୁ କିଛି ପାଇ ସାରିଥିବା
କିଛି ଖୋଜିବା ନଥିବ
ହାତ ପାପୁଲିରେ ।