STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ବଦନାମ ଗଳିରେ ରାତି

ବଦନାମ ଗଳିରେ ରାତି

1 min
374


ଅନାଦର ଘୃଣା ତିରସ୍କାର ସତ୍ତ୍ବେ 

ନିଷ୍କପଟ ହୃଦୟ ନେଇ ତୁମେ ସଜେଇ ପାର

ତୁମ ଅନ୍ଧାରି ଇଲାକା ମଧୁକ୍ଷରା ଛାତି !  

ଟକମକ ରକ୍ତ ଆଉ କିଛି ନିଆଁକୁ ଶାନ୍ତି ଦେବାକୁ 

ସାବଜେଇପାର

ନିଷ୍କାମ ପ୍ରେମର ସବୁଜ ଚୋରା ଚଇତି !!


କାହିଁକିର ଉତ୍ତର ସବୁ ମୁଁ ଖୋଜି ପାଏନା ! 

ସେଲାଗି କିନ୍ତୁ ପରନ୍ତୁ କାହିଁକି କଣ ପାଇଁ କାରଣ ସବୁକୁ 

ଶବ୍ଦ ସଜେଇ ହୋଲି ଖେଳୁଖେଳୁ

ମୋ କାରଣ ସବୁ ଅକାରଣ ହେଇଯାଏ !!


କିନ୍ତୁ କିପରି ତୁମେ ହସିପାର ମନଖୋଲା ହସ !?

ରଙ୍ଗ ରସିକ ନାଗର ପାଇଁ 

ମୁହଁରେ ବୋଳୁଥାଅ 

ଉଆଁସୀ ରାତିର ଗାଢ୍ ଅନ୍ଧକାରରେ ଧାରେ କଜଳ ଆଉ

ଜହ୍ନ ଦେହରୁ ଚଳୁଏ ପାଉଡର !!


କିପରି ନିଜ ରକ୍ତରେ ଲେଖୁଥାଅ ନିଜ ଇତିହାସ !?

ନିଜ ହାତେ ବୁଣୁଥାଅ ଲାଲ୍ ମଫଲର୍ ଆଉ

ନିଜ ମୃତ୍ୟୁ ଫାଶ !?


ପ୍ରତ୍ୟୁତ୍ତରେ କୁହେ କିଏ

ହେଇପାରେ ଏ ପଥ କଣ୍ଟକିତ !

କିନ୍ତୁ ପୌରୁଷ ସ୍ବର୍ଗର ଫାଟକରେ ମଶାଲ ହୋଇ ଜଳିବା

କେତେ ଜଣକର ଭାଗ୍ୟରେ ଥାଏ କହିଲ !?


ଏବେ ଅନ୍ଧାର ରାତିର ଚିତ୍କାର ଦେହରେ

ପବିତ୍ର ପାପର ନାଁ ଲେଖୁଥାନ୍ତି

ବାବୁ ଭାଇ ହାକିମ ଆଉ ରାଜାପୁଅମାନେ !

ହେଲେ ବତୀଖୁଣ୍ଟ ଯେ ମୁକସାକ୍ଷୀ

ତୁମ ବିବଶ ଭାଗ୍ୟରେ !!


ସେ ଗଣ୍ଠିଲି ବାନ୍ଧି ରଖୁଛି

ତୁମ ଗଳିରେ ଲେଖାଥିବା ସବୁତକ ରୁଧିରାକ୍ତ ଲୁହ ! 

ସବୁତକ ବେଦନାକ୍ତ କୋହ !

ସବୁତକ ଇଛାକୃତ ପାପ ! 

ସବୁତକ ଅଣଦେଖା ଗପ ଆଉ 

ଉଛିଷ୍ଟ ପ୍ରେମର ବଳକା ଅଭିଶାପ !!


ଏବେ ପୁନର୍ବାର ନୂଆ ଏକ ସକାଳ ସ୍ୱପ୍ନର ଆୟମାରମ୍ଭ ପାଇଁ !

ବଦନାମ୍ ଗଳିର ଅନ୍ଧାରି ଜଞ୍ଜିର ନିତି ସଞ୍ଜରେ ରୁଣୁଝୁଣୁ ବାଜେ

କୁନି ପାଦରେ ଅଭିସାରିକାର ଘୁଙ୍ଗୁର ପିନ୍ଧେଇ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍