ବଡ଼ ବେଦରଦୀ ମୃତ୍ୟୁ ଅବିବେକୀ
ବଡ଼ ବେଦରଦୀ ମୃତ୍ୟୁ ଅବିବେକୀ
ମଣିଷ ଜୀବନେ ଜନ୍ମ ଆଉ ମୃତ୍ୟୁ
ଦୁଇଟି ତ ମହାସତ୍ୟ
ସ୍ୱୟଂ ଭଗବାନ ଏ ମହାସତ୍ୟରୁ
ହୋଇଥିଲେ ପରାହତ ।
ମହାଶକ୍ତିଶାଳୀ ମୃତ୍ୟୁର ସେ ରୂପ
ପ୍ରାଣପକ୍ଷୀ ହୁଏ ଲୀନ
ଅଦୃଶ୍ୟରେ ଥାଇ କାୟା ବିସ୍ତାରିଛି
କିବା ରାତି କିବା ଦିନ ।
ବଡ଼ ବେଦରଦୀ ମୃତ୍ୟୁ ଅବିବେକୀ
ବୟସକୁ ଦେଖେ ନାହିଁ
ବାଳଠାରୁ ବୃଦ୍ଧ ସଭିଙ୍କ ଜୀବନେ
ରହିଥାଏ ଅବା ଚାହିଁ ।
ଜନମ ଶାଳରୁ ପ୍ରାଣ ନାଶିଦିଏ
ଜୀବନର ଅନ୍ତ କରେ
କିଏ ବା ଅସହ୍ୟ ଯନ୍ତ୍ରଣା ଆବୋରି
ମୃତ୍ୟୁ ପଥ ଖାଲି ଝୁରେ ।
ଧନୀ କି ଗରିବ ନାରୀ କି ପୁରୁଷ
ଖେଳୁଥାଏ ମୃତ୍ୟୁ ଖେଳ
ବିଧାତା ଲିଖନ କରେ ନାହିଁ ଆନ
ସରିଯାଏ କାଳବେଳ ।
ନିଶବ୍ଦରେ ମୃତ୍ୟୁ ଜୀବନ ଦୀପକୁ
କରିଦିଏ ଅସ୍ତମିତ
ତାହାର ଫାଶରୁ ବର୍ତ୍ତିପାରିନାହିଁ
ସୃଷ୍ଟି,ସ୍ରଷ୍ଟା ଏ ଜଗତ ।
କେଡେ ସେ ନିଷ୍ଠୁର ମାଆର କୋଳରୁ
ସନ୍ତାନକୁ ଦୂରକରେ
ଆତ୍ମୀୟ ପାଖରୁ ଆତ୍ମୀୟକୁ ନେଇ
ପରାଭବ ବିଶ୍ୱେ ଭରେ ।
ମୃତ୍ୟୁ ରୂପ ସୀମା ଅନନ୍ତ ଅସୀମ
ବିନା ନିମନ୍ତ୍ରଣେ ଆସେ
ଅସମର୍ଥ ଆମେ ତାହାକୁ ରୋକିବା
ଦୁଃଖ ଦେଇ ମୃତ୍ୟୁ ହସେ ।
