ବଡ଼ ଅବୁଝା ମୋ କବିତା
ବଡ଼ ଅବୁଝା ମୋ କବିତା


ବଡ଼ ଅବୁଝା ମୋ କବିତା
----------------------------
ମୋ କବିତା ଟା ବଡ଼ ଅବୁଝା
ହଲି ଝୁଲି ଆସେ ସେତିକି ବେଳେ
ଯେତିକି ବେଳେ,
ମୁଁ କାମ ରେ ବ୍ୟସ୍ତ ଥିବି ,
ଅଟା ଗୁଳା ର ନିଗୁଡ଼ ଅଠାଳିଆ ଆକାର କୁ
ମୁଁ ଗୋଲାକାର ର ଗଢ଼ଣ ଟିଏ ଦେଉଥିବି ।
ମୋ କବିତା ଟା ବଡ଼ ଅବୁଝା
ହଲିଝୁଲି ଚାଲିଆସେ ସେତିକି ବେଳେ
ଯେତେବେଳେ ମୁଁ ବାଥ୍ ରୁମ୍ ରେ
ସିକ୍ତ ହୋଇ ସାୱାର୍ ରେ ଭିଜୁଥିବି ।
ବଡ଼ ଅସଣ୍ଠଣା ସେ
ସମୟ ର ଜ୍ଞାନ ନାହିଁ
ବେଳେବେଳେ ବେଦନା ରେ
ଭରିଦିଏ ମତେ,
ଯେତେବେଳେ ମୋ ହୃଦୟ ତାକୁ
ଚୁମ୍ବନ ଟିଏ ଦେଇ ଫେରି ଯାଏ।
ଫେରି ଯାଏ ଯେ ଫେରିଯାଏ
ଡାକିଲେ ଆଉ ଆସେନା
କେଉଁ ଖିଆଲି ମନ ର ବାସ୍ନା ରେ
ମୁଁ ଭିଜେ............
ତା'ର କଣ ବା ଯାଏ ଆସେ
ସେ ତ ଅଶରୀର ଧାରା ଟେ
ସେ କେବେ ଆଉ ମୋତେ ବୁଝେନା ।
ମୋ କବିତା ଟା ବଡ଼ ଅବୁଝା
ଉନିଦ୍ରା ର ଭଙ୍ଗୁର ଉଆସରେ
ଆଗରୁ ସେ ମୋତେ ବାନ୍ଧି ରଖୁଥିଲା
ଆଜି ମୋ ଠାରୁ ଦୂରେଇ ଯିବା ଆଶା ରେ ।
ଅଭିମାନ କରି କହେ,
ମୁଁ ଆଉ ତୁମ ପାଖକୁ ଫେରିବିନି
ତୁମେ ମୋତେ ଖାଲି ଦୁଃଖରେ ଡାକୁଛ
ଅଯଥା ଚିନ୍ତା ରେ ଘୁରି ବୁଲୁଛ,
ମୂଲ୍ୟ ହୀନ ବ୍ୟର୍ଥ ଭାବନାକୁ ନେଇ
ତମେ ଆଉ ହସୁନ ।
ମୁଁ ଦେଖିଛି ତୁମକୁ ଜୀବନସାରା
ତୁମ ହସ ର ଢେଉ ,
ଉତ୍ତାଳ ତରଙ୍ଗ ଡେଉଁଥିଲା
ନିଜକୁ ନିଜ ଭିତରେ
ବାନ୍ଧି ରଖୁଥିବା ମନ ର
କଣ ହେଲା ଯେ,
ଅନ୍ତର୍ଦ୍ୱନ୍ଦ ରେ ବୁଡ଼ି ଗଲା ।
ତୁମେ ପୁଣି ଫେରିଆସ ସେଇ ବିନ୍ଦୁ କୁ
ଯେଉଁଠି ତୁମ କଲମ ରେ
ମୁଁ ସୃଷ୍ଟି ହେଉଥିଲି,
ତୁମେ ପୁଣି ଫେରିଆସ ସେଇ ଶବ୍ଦ କୁ
ଯେଉଁଠି ତୁମ ଓଠ ରେ
ସ୍ୱର ଟିଏ ସୃଷ୍ଟି ହେଉଥିଲା ।
ଏ ଶବ୍ଦ ଭେରୀ ର ମାଧୁର୍ଯ୍ୟ
କେବଳ ତୁମରି ଓଠ ରେ ହସେ
ଯେଉଁଠି ବକୁଳ ର ବାସ୍ନା ଟିଏ
ଆଖି ମିଟିକା ମାରେ
ମୋତେ ତନ୍ନ ତନ୍ନ କରି
ଖୋଜିବା ନିଶାରେ ତୁମେ
ମୋତେ ହିଁ ଜାବୁଡ଼ି ଧରିଛ.....।
ଝୁକି ଗଲା ମୋ ଆଖି
କବିତା ର ପ୍ରଶ୍ନ ରେ......
ସତରେ କବିତା !
ତୁ ଯେ ମୋ ହୃଦୟ ର ନିଶବ୍ଦ ପ୍ରେମିକ
ନିସର୍ତ୍ତ ରେ ଭଲ ପାଉ ମୋତେ,
ଅବୁଝା ତ ମୁଁ
ଅଯଥା ରେ ଖୋଜେ
ଜୀବନ ର ଅର୍ଥ ।