ବାୟୁଯାନ
ବାୟୁଯାନ
ଇଚ୍ଛା ହୁଏ ଉଡ଼ିବାକୁ
ନାହିଁ ମୋର ଡେଣା,
କାଗଜରେ ତିଆରିଛି ଏକ ବାୟୁଯାନ
ଶତଇଚ୍ଛା ତୁମକୁ ସାଥିରେ ନେଇ ଉଡିଯିବି
ଖୋଜି ଖୋଜି ପହଞ୍ଚିବା ଏକ ଅଜଣା ମୂଲକେ ।
ଆମର ଏ ଦୂଷିତ ଭୂଲୋକ
ଯେଉଁଠି କେବଳ ସଠତା, ପ୍ରବଞ୍ଚନା
ଘୃଣା ଆଉ ସ୍ଵାର୍ଥପରତାର ରାଜୁତି,
ଏଠି ମମତା ମୂଲ୍ୟହୀନ
ଭାଇଚାରା ବିପନ୍ନ
ବିଶ୍ୱାସ ମରିଛି
କର୍ତ୍ତବ୍ୟରେ ପଡିଅଛି ତାଲା
ସତ୍ୟ ଲାଞ୍ଛିତ
ଧର୍ମ ଅବକ୍ଷୟ
ଶାନ୍ତି ନିରୂଦିଷ୍ଟ
ଆଉ ପ୍ରେମ ଧର୍ଷିତା ।
ଚାଲ ଏଠୁ ଛାଡି ଚାଲିଯିବା
ଯେଉଁଠି ଥିବ ପୁଳା ପୁଳା ଆନନ୍ଦ
ସ୍ଵର୍ଗସମ ଅତୀନ୍ଦ୍ରିୟ ସୁଖ,
ଆଉ ନ ଥିବ
ଆମକୁ ସହିପାରୁନଥିବା
ଅସହିଷ୍ଣୁ ମଣିଷମାନେ ।
ଆସ, ମୋତେ ସାଥ୍ ଦିଅ
ଉଡ଼ିଯିବା ସେହି ଦୂରନ୍ତ ରାଇଜେ
କମନୀୟ ମେଘମାଳା ସାଥେ
ନାଚି ନାଚି ଗାଇ ଗାଇ
ଗଢିବା ଏକ ମୁକ୍ତ ଜୀବନ
ଯେଉଁଠି ତୁମେ ଥିବ
ଆଉ "ମୁଁ" ।
