STORYMIRROR

Banabihari Mishra

Others

4  

Banabihari Mishra

Others

ବାତରା

ବାତରା

1 min
276

ଉଚ୍ଚା ବାରଣ୍ଡାରୁ ଜଳିଆ ମାଆଟା

ଜୁଳୁଜୁଳୁ କରି ଚାହୁଁଚି 

ସାଢେ ଚାରିକୋଡି ଡେଇଁ ସାରିଲାଣି

ତଥାପି ବୁଢୀଟା ବଞ୍ଚିଛି।


ଧୁଡୁ ଧୁଡୁ ଚମ ଲୋଚାକୋଚା ହେଇ

ହାଡ କେଇଖଣ୍ଡ ଢାଙ୍କିଛି।

ଆଖିକୁ ଦିଶୁନି କାନକୁ ଶୁଭୁନି

ତଥାପି ବୁଢୀଟା ବଞ୍ଚିଛି।


ନଈ ବଢି ହେଲା ଚାଷଜମି ସବୁ

ବାଲିଚର ହେଇ ଯାଇଚି

ଚାଷକଲା ପୁଅ ବିଷ ପିଇ ମଲା

ତଥାପି ବୁଢୀଟା ବଞ୍ଚିଛି।


ଗଲା ସନରୁ ତା ଜଳିଆ ବୋହୁକୁ

ଅଜଣା ବାଧିକି ଲାଗିଛି

ବିଛଣା ଛାଡୁନି ବୁଢୀ ରାନ୍ଧେ ବାଢେ

ତଥାପି ବୁଢୀଟା ବଞ୍ଚିଛି।


ବାଇଶି ବର୍ଷର ଭେଣ୍ଡା ନାତିଟୋକା

ନାଗର ସାଜିକି ବୁଲୁଛି

ରାଜନୀତି ସିଏ କରେ ଶୁଣି ଶୁଣି

ତଥାପି ବୁଢୀଟା ବଞ୍ଚିଛି।


ଦିନସାରା ବୁଲି ରାତି ପହରକୁ

ମଦ ପେଟେ ପିଇ ଫେରୁଛି

ଖାଇବା ମାଗୁଛି ଗାଳି ବି କରୁଛି

ତଥାପି ବୁଢୀଟା ବଞ୍ଚିଛି।


ଚୁଲିରେ ପାଦକୁ ଥାପିଦେଇ ନାତି

ରୋଷେଇ ହେଇଛି ଜାଣୁଛି

ତା'ର ଏ ନିର୍ଲଜପଣିଆ ଦେଖିକି

ତଥାପି ବୁଢୀଟା ବଞ୍ଚିଛି।


ବାଡିରେ ଦି'ଗଛ ବାଇଗଣ ଲଗା

କେତେଥର ବୁଢୀ କହୁଛି

ନାକଟେକେ ନାତି ନାକଟେକା ଦେଖି

ତଥାପି ବୁଢୀଟା ବଞ୍ଚିଛି।


ଚଷାଘର ଆମେ ଆମ କାମ ଚାଷ

ବୁଝେଇକି କେତେ କହିଛି

ଶୁଣେନି ନାତିଟା ବୁଢୀର କଥାକୁ

ତଥାପି ବୁଢୀଟା ବଞ୍ଚିଛି।


ନଡା ପଚିଯାଇ ଚାଳଛପରରେ

ସୂର୍ଯ୍ୟ ଚନ୍ଦ୍ର ତାରା ଦିଶୁଛି

ଛାଉଣୀ କଥା ତା ନାତି ବୁଝୁନାହିଁ

ତଥାପି ବୁଢୀଟା ବଞ୍ଚିଛି।


ନାତି କହେ ହେବ ସରକାରୀ ଘର

ନେତା କାଳେ ତାକୁ କହିଛି

ପକ୍କା ଛାତଘରେ ରହିବା ଆଶାରେ

ତଥାପି ବୁଢୀଟା ବଞ୍ଚିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍