ବାପାଙ୍କ ପାଇଁ ପଦେ
ବାପାଙ୍କ ପାଇଁ ପଦେ
ଶଶାଙ୍କ ଶେଖର ରାୟ
ବାପା
କେତେଦିନ ସଂସାରକୁ
ପିଠିରେ ନାଉ କରି
ବୋହି ଚାଲିଥିବ
ନିର୍ଲିପ୍ତରେ ନିର୍ବିକାରେ
ଏକା ଏକା ତୁମେ ।
ଜୀବନ ସଉଦା ହାଟେ
ତେଲ ଲୁଣ କିଣି କିଣି
ସରିଗଲା ତୁମର ବୟସ
ବିଶ୍ଵାସର ବରଗଛଟିଏ ତୁମେ
ଆଶାର ଛାଇ ବାଣ୍ଟି ବାଣ୍ଟି
ସରିଗଲା ତମାମ୍ ଆୟୁଷ ।
ମା ଙ୍କର ରାଗ ଅଭିମାନ
ସଂସାରର ଜଞ୍ଜାଳ ହାହୁତାଶ
ଭିତରେ ବି
ଚମକୁଥାଏ ତୁମର ଚେନାଏ ହସ ।
ଧୋବ ଫରଫର ଚେହେରା
କାନ୍ଧେ ପଇତା ଧୋତି ଆଉ କୁରୁତା
ପରକୁ ଆପଣାର କରିବାର ମମତା
ହୁରିପଡୁଥିଲା ଅଞ୍ଚଳଯାକ ।
ଶିକ୍ଷକ ସମାଜେ ଥିଲ ତୁମେ ମୁକ୍ତା
ଭୂଲି ନ ଥିଲ କେବେ ବି କର୍ତ୍ତବ୍ୟପରାୟଣତା ।
ଚିରା ଗାମୁଛାରେ ସ୍ଵପ୍ନର ଶାମୁକା
ସାଉଁଟୁ ସାଉଁଟୁ
ତରଳିଗଲ ମହମ ଭଳି
ସଳିତା ପରି ଜଳି ଜଳି
ଆଲୋକ ବର୍ଷିଗଲ
ଆମ ଆଖିରେ ଲୁହର
ଦୀପାଳୀ ଜାଳି ।
ଜୀବନର ଜଟିଳ ଅଙ୍କ
ପାପପୂଣ୍ୟ ସତମିଛର
ମିଶାଣ ଫେଡାଣ
ମୋତେ ବୁଝାଇବା ଆଗରୁ
କୋହଭରା ଅକୁହା ବେଦନାରେ
ଅଭିମାନ କରି ଏକା ଏକା
ନୀରବରେ ଚାଲିଗଲ ଯେ
ଚାଲିଗଲ ମୋତେ ସବୁଦିନ ଏକା କରି ।
ମୋ - ୭୩୭୭୧୯୭୯୯୯
ବଟରପଡା ରାଜକନିକା କେନ୍ଦ୍ରାପଡା
