ବାପା
ବାପା
ମୋ ଜୀବନ ନାଟକର
ସେ ମହାନାୟକ
ବିପଦେ ଆପଦେ ସଦା
ସାଜନ୍ତି ରକ୍ଷକ ।
ତାଙ୍କ ଅବଦାନ ମୋର
ଏଇ ଟିକି ପ୍ରାଣ
ନ କହିବି ବୁଝିଯାନ୍ତି
ସନ୍ତାନର ମନ ।
ଦେଖିବାକୁ ଭାରି ଟାଣ
ନାରିକେଳ ସମ
ହୃଦୟରେ କୋମଳତା
ଭରପୂର ପ୍ରେମ ।
ଧୈର୍ଯ୍ୟ ,କ୍ଷମା,ସାହାସର
ଉଚ୍ଚତମ ଗିରି
ରୀତିନୀତି ସଂସ୍କାରର
ମହା ଅଧିକାରୀ ।
ଦେଖିନାହିଁ ଲୁହ କେବେ
ତାଙ୍କ ନୟନରେ
ହେଳା କରିନାହାନ୍ତି ସେ
ସ୍ନେହ ଆଦରରେ ।
ମୋର ଆଶା ଆକାଂକ୍ଷାକୁ
ନିଜ କାନ୍ଧେ ବୋହି
ସୁବ୍ୟବସ୍ଥା କରିଛନ୍ତି
ଶିକ୍ଷାଦୀକ୍ଷା ପାଇଁ ।
ଜନପୂର୍ଣ୍ଣ ପଥପରେ
ମୋର ହାତ ଧରି
ଚାଲି ଶିଖାଇଲେ ବୋଲି
ଯାଇନାହିଁ ଡରି ।
ନିଜ ପେଟ ଅଧାରଖି
ମୁଖେ ଦେଇ ଦାନା
ଦୁନିଆର ରଙ୍ଗମଞ୍ଚେ
କରିଛନ୍ତି ଚିହ୍ନା ।
କାର୍ତ୍ତବ୍ୟର ପରିଭାଷା
ତାଙ୍କଠାରେ ଠୁଳ
ଚଳନ୍ତି ଠାକୁର ପୁଣି
ମୋର ସିଏ ବଳ ।
ବାପା ବୋଲି ଡାକିଦେଲେ
ମିଳେ କୋଟି ପୂଣ୍ୟ
ତାଙ୍କ କୋଳେ ଜନ୍ମଲଭି
ହୋଇଅଛି ଧନ୍ୟ ।