ବାପା
ବାପା
ବାପା
ଦୁଇଟି ଶବ୍ଦ।
ମୋତେ ଲାଗେ ବାପା
ଗୀତା
ଭାଗବତ
ବେଦ,
ବ୍ରହ୍ମ,
ଜଗତ।
ବାପା
ସ୍ରଷ୍ଟା,
ସତ୍ୟ,
ଶିବ ଓ ସୁନ୍ଦର।
ବିଶ୍ୱର ସବୁଠାରୁ
ସୁନ୍ଦରତମ ମଣିଷ ମୋ ବାପା।
ମୋ ପାଇଁ ଖୁସିର ଚାବି ନେନ୍ଥା
ତାଙ୍କ କାନ୍ଧ;
ଦେବରାଜ ଇନ୍ଦ୍ରଙ୍କ
ସିଂହାସନ ଠାରୁ ବି ଦୁର୍ମୂଲ୍ୟ।
ସେଇ କାନ୍ଧରେ ବସି ରାବଣ ପୋଡି,
ବାଲିଯାତ୍ରା ମେଳା ବୁଲା,
ଜଗନ୍ନାଥ ଦର୍ଶନ କଲାବେଳେ
ଲାଗେ ସଂସାରର ଶ୍ରେଷ୍ଠ ରାଜକୁମାରୀ ମୁଁ।
ବାପା ପିଠି ପୃଥିବୀ ପୃଷ୍ଠର
ବିରଳତମ ଘୋଡା।
ବାପାଙ୍କ ପିଠିରେ ବସି
ଚାଲେ ମୋର ଘୋଡା ଟପ୍ ଟପ୍
କହିଲା ବେଳେ ଅନୁଭବ କରେ ମେଞ୍ଚେ
ଉଦ୍ଦୀପନା ଓ ଆବେଗ
ଯେଉଁଥିରୁ ଝରୁଥାଏ ବାତ୍ସଲ୍ୟ
ମହୁ ଥୋପା ଥୋପା।
ତାଙ୍କ ହାତ ଧରି
ଗହଳି,
ଭିଡ଼ ଠେଲି ଚାଲିବାର
ମହାର୍ଘ୍ୟ ମୁହୂର୍ତ୍ତ ନିରୁତା ନିରୋଳା।
ସେ ଯେତେବେଳେ
ଶୁନ୍ୟକୁ ମୋତେ ଫିଙ୍ଗି ଦିଅନ୍ତି ;
ଟିକେ ବି ଡର ଲାଗେନି ପଡିଯିବାର
ଏଇ ବିଶ୍ୱାସ ତ ବାପା।