ବାଣୀ ଆବାହନ
ବାଣୀ ଆବାହନ
(ରାଗ -ଚୋଖି )
କର କରୁଣା ଜନନୀ ଶ୍ୱେତ ବାରିଜ ବାସିନୀ
ସରୋଜିନୀ ବାଣୀ ବୀଣାପାଣି ଭାରତୀ l
ସୁରାସୁର ନରାରାଧ୍ୟା ଜ୍ଞାନୀ ଜନ ଜ୍ଞାନ ପ୍ରଦା
ଜଗତ ଜନ ଜନନୀ ମା ସରସ୍ୱତୀ l
ନୃତ୍ୟ ଗୀତ କଳା ରୂପିଣୀ
ଚାରୁ ସଂସ୍କୃତି ସମ୍ପର୍ଣ୍ଣା ରାଗ ରାଗିଣୀ l01l
କମଳେ ପଦ କମଳ ଜ୍ୟୋତି ଅମଳ ଧବଳ
ତରୁଣ ତରଣୀ କର ସମ ଶୋଭନ l
ଦ୍ଵିଜରାଜ ଲାଜଭରେ ଶରଣ ପଦ କଞ୍ଜରେ
ପାଣିରେ ବୀଣା ଆହ୍ଲାଦ ସୁର ଗୁଞ୍ଜନ l
ଚୂଡ଼ା ଶିରେ ଗଣ୍ଡେ କୁନ୍ତଳ
ତଡ଼ିତ ଜଡ଼ିତ ରଶ୍ମି ମୁଖମଣ୍ଡଳ l02l
କର୍ଣ୍ଣେ କନକ କୁଣ୍ଡଳ ରଞ୍ଜିତ ମଣି ମଣ୍ଡଳ
ଗଳେ ମୁକ୍ତାମାଳ ସୌଦାମିନୀ ଗଞ୍ଜନ l
ଶୁକ୍ଳ ବସ୍ତ୍ର ପରିହିତା କୁନ୍ଦେନ୍ଦୁ ବର୍ଣ୍ଣ ଶୋଭିତା
ନଖ ପଂକ୍ତି ଜିଣି ପ୍ରଭାକର କିରଣ l
କଜ୍ଜଳେ ଉଜ୍ଜଳ ନୟନ
ମୃଣାଳ ଗଞ୍ଜିତା କରେ ଗ୍ରନ୍ଥ ଶୋଭନ l03 l
ପ୍ରଣମାମି ପଦାମ୍ବୁଜେ ଆମ୍ବୁଜ ବାସିନୀ ପଦେ
ଦିଅ ବରାଭୟ ବରାଭୟ ଦାୟିନୀ l
ଅଧମ ଅକ୍ଷମ ସୁତ ଅଜ୍ଞାନତା ନାଶ ମାତ
ହରି ମନୋହାରୀ ବିଶ୍ୱ ଜ୍ଞାନ ରୂପିଣୀ l
ଅନଭିଜ୍ଞ ଶ୍ରୀକାନ୍ତ ଭାଷ
ଦୟାମୟୀ ଦୟାରେ ପୁରୁ ଅଭିଳାଷ l04l
