STORYMIRROR

Kulamani Sarangi

Others

3  

Kulamani Sarangi

Others

ବାଙ୍କାର ଦୁଃଖ(ପଲ୍ଲୀ କବିତା)

ବାଙ୍କାର ଦୁଃଖ(ପଲ୍ଲୀ କବିତା)

1 min
14K


ବାଙ୍କା ବସିଥିଲା ମୁଣ୍ଡେ ହାତଦେଇ ,କହିଲା "ବାବୁ ସଇଲା,

କି ପୋଡପାଡ ତିତିଲି ଆଇଲା,କଳାକନା ବୁଲେଇଲା,

ଥୋଡ ଧରୁଥେଲା ଧାନ,

ବଢିପାଣି ପଶି ଗର୍ଭରୁ ମାଇଲା ଚଷା ହେଲାଣି ଉଛନ୍ନ।


ପାଞ୍ଚ ପଇସିଆ ସୁଧ ଦେଇ ବାବୁ ଆଣିଲି ଦଶ ହଜାର,

ଦାଆ ଯିବନାହିଁ ବିଲକୁ ଏ ସନ,ଶୁଝିବି କୋଉ ପ୍ରକାର,

ଧାନ କେଣ୍ଡାକୁ ଦେଖିବ,

ତିନିପା ଅଗାଡି ,ଧାନ ଭେକ ଦେଖି ଆଖିପାଣି ନିଗିଡିବ।


ପୋଲିଓ ରୋଗୀଣା ପିଲା ପରି ଦୁଶୁଚନ୍ତି ଧାନ କେଣ୍ଡାମାନ,

କଟା, ବେଙ୍ଗେଳାର ମୂଲ ମିଳିବନି ଅମଳକୁ ନାହିଁ ମନ,

ଛାଟିଦେବି ମୁଠେ ଚଣା,

ଶାଗ ମୁଠେ ହେଲେ ଖାଇବି ଏ ସନ,ଧାନ ଓଳିଆ ତ କଣା।


ସରକାର ଯେବେ ନଚାହିଁବେ ତେବେ ଚାଷୀକୁଳ ହେବେ ଲଣ୍ଡା,

କରଜ କିମିତି ଶୁଝିବି ,ଶେଷରେ ବିକିବି ପଟକ ପଣ୍ଡା,

ପୁଅଟା ସିନା ମୋ ଭେଣ୍ଡା,

କୋଉ କାମକୁ ସେ ନୁହଁ,ଅଧା ପଢା ମୋବାଇଲି ଧରା ଷଣ୍ଢା।


ପାଞ୍ଚପ୍ରାଣୀ ମୋର କୁଟୁମ୍ବ,ଝୁଅର ଦି'ହାତ ହବ ଏ ସନ,

ତମ ବୋହୂର* ତ ପୁଆଣୀ ସଜରେ ହାତୀ ଘୋଡା ଦବା ମନ,

ଅମଳ ନହେଲେ ଧାନ,

କେମିତି କରିବି ଏ ଦୁନିଆଁ ପାଲା,ଅଟକି ଯାଏ ପବନ।


"ଚଷା ମୂଷା” ବୋଲି କହିଚି ପରା ମୁଁ ହେଜି ହଉଚି ସେ କଥା,

ବାଟିଏ ଚାଷରେ ନିତି ମୋ ଉପାସ,ଭାଳି ଘୂରିଯାଏ ମଥା,

ତମେ ସବୁ ବଡ ନୋକ,

ଦରମା ପାଉଚ ଘର ଚଳଉଚ , ଅଛି କି ଏମେତେ ଦୁଃଖ ?


* ତମ ବୋହୂ -- ବାଙ୍କାର ସ୍ତ୍ରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍