STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ବାହୁଡିବେ ମହାବାହୁ

ବାହୁଡିବେ ମହାବାହୁ

1 min
234


ସକାଳୁ ସକଳୁ ଝିପି ଝିପି ବର୍ଷା 

ଚନ୍ଦନ ପଡୁଛି ଝରି 

ବାହୁଡିବେ ଆଜି ମୋ ଜଗା କାଳିଆ 

ଭାଇ ଭଉଣୀଙ୍କୁ ଧରି   ।।


ରତ୍ନସିଂହାସନ ବାଇଶ ପାହାଚ

ଚାତକେ ରହିଛି ଚାହିଁ

ସିଂହଦୁଆରରେ ଅଖଣ୍ଡ ଦୀପାଳି 

ଫେରିବେ ଜଗତ ସାଇଁ  ।।


ଶିରୀ ଗୁଣ୍ଡିଚାରୁ ଶିରୀ ମନ୍ଦିରକୁ 

ଗଡୁଥିବ ରଥ ଧୀରେ 

ବଡଦାଣ୍ଡ ଧାରେ ଭକତଙ୍କ ଭିଡ 

ଚହିଁ ଥିବେଟି ଆତୁରେ   ।।


ମାଉସୀ ମାଆଙ୍କ କୋମଳ ପରଶ

ଜଗା ମନ ପୁଲକିତ 

ପୋଡପିଠା ,ପଣା ,ଅନ୍ନ ଯେ ବ୍ୟଂଜନ 

ମହ ମହ ସୁବାସିତ     ।।


ବିନ୍ଦୁ ବିନ୍ଦୁ ଅଶ୍ରୁ ନିଗିଡି ପଡିବ 

ରଥ ଗଡୁଥିବ ଯେବେ 

ଭକ୍ତ ଡାକୁଥିବେ ମଣିମା ମଣିମା 

ଗୁହାରି ଶୁଣିବା ହେବେ    ।।


ଟିପି ଟିପି ଚନ୍ଦନ ରେ ଝଲସିବ 

ତବ କଳା ଶ୍ରୀବଦନ

ଅଗରୁ ମହକ କସ୍ତୁରୀ ସୁବାସ 

ଶ୍ରୀଅଙ୍ଗେ ହେବ ଲେପନ   ।।


ନନ୍ଦିଘୋଷ ଚଢି ହେ ମନ ମୋହନ 

ମୋହୁଥିବ ଭକ୍ତ ମନ

ଝରୁଥିବ ଲୁହ ଶରଧା ବାଲିରେ 

ଭିଜୁଥିବେ ଭକ୍ତ ଜନ     ।।


ହେ ମାନ ଭଂଜନ ପ୍ରଭୁ ଶ୍ୟାମ ଘନ

ଏ କି କଲ ଏ କି କଲ

ଲକ୍ଷ୍ମୀ ଠାକୁରାଣୀ ପର ହୋଇଗଲେ

ଭଉଣୀଙ୍କୁ ସାଥେ ନେଲ  ।।


ଜଗତ ଜାଣିଲା ଜଗତ ବୁଝିଲା 

ଭାଇ ଭଉଣୀଙ୍କ ଭାବ

ସଂସାର କଲ୍ୟାଣ ପାଇଁ କି ପ୍ରଭୁ ହେ 

ଚଳାଉଛ ତୁମେ ନାବ   ।।


ତୁମେ ମୋ ଭାବନା ତୁମେ ମୋ କଳ୍ପନା 

ତୁମେ ମୋ ମନ୍ତ୍ରର ଛନ୍ଦ 

ଏ ବାହୁଡା ଯାତ ଆଲୋକ ବର୍ଣ୍ଣାଳୀ 

ବୁଣିଦେଉ ସାତ ରଂଗ   ।।

----------



Rate this content
Log in