ବାହୁଡା଼ ବସନ୍ତ
ବାହୁଡା଼ ବସନ୍ତ
ଚାଲିଯାଏ ପରା ନିଷ୍ଠୁର ଶୀତ ଗୋ, ଆସଇ କାଳ ବସନ୍ତ,
ପ୍ରକୃତି ରାଣୀ ଯେ ଚହଟେ ପରା ଗୋ,ଆନନ୍ଦେ ହୋଇ ପ୍ରୀତ।
ମଧୁମୟ ମଧୁମାସ ଗୋ, ଅଟଇ ପରା ଯେ ବସନ୍ତ,
ତୋର ଆଗମନେ ଯେ, ମୋ ମନର ବିରସ ହୁଏ ଅନ୍ତ,
ପଲ୍ଲୀଗ୍ରାମ ସବୁ ଦିଶେ ପ୍ରତିମ ଗୋ, ଅଟେ ଏ କାଳ ବସନ୍ତ,
ଚାଲିଯାଏ ପରା ନିଷ୍ଠୁର ଶୀତ ଗୋ ଆସଇ କାଳ ବସନ୍ତ।
ଋତୁ ମାନଙ୍କରେ ସାର ପରା ଗୋ, ତୁହି ଅଟୁ ଋତୁରାଜ,
ମୃଦୁ ମଳୟ ବହେ ପରା ଗୋ, ପ୍ରକୃତିରେ ତୋର ସଜ।
ସୁଲୁ ସୁଲୁ ବହେ ଦକ୍ଷିଣୀ ବାଆ ଗୋ, ଅଟେ ବସନ୍ତ ମାସ,
ଉଦ୍ୟାନରେ ମଲ୍ଲୀ ମାଧବୀ ଫୁଟେ ଗୋ, ବିତରିଯାଏ ତା ସୁବାସ,
ଆମ୍ର ବୃକ୍ଷେ କୋଇଲିର ସ୍ୱର ଲାଗଇ ପରା କେଡ଼େ ପ୍ରୀତ,
ପ୍ରକୃତିରାଣୀ ଯେ ଚହଟେ ପରା ଗୋ ଆନନ୍ଦେ ହୋଇ ପ୍ରୀତ।
ଧରଣୀରାଣୀର କୋଳକୁ ପରା ଗୋ ତୋର ଏ ଆଗମନ,
ଶିବଶଙ୍କର ମୁଁ ରଚଇ କବିତା ଆନନ୍ଦ ମୋହରି ମନ।