ଅସରା ରଜ ମଉଜ
ଅସରା ରଜ ମଉଜ


ରଜ ମଉଜ ବି ମଉଳି ଯାଇଛି
ଏଡ଼େ ଡାହାଣୀ ତୁ
କାଳୀ କରୋନା !
କେମିତି ନାଇବି ନୂଆ ପରିଚ୍ଛଦ,
ବଜାର ଯିବାକୁ
କରିଛୁ ମନା ?
ନୂଆ ପୋଷାକକୁ ନମନ କରୁଛି
ଆଜି ପିନ୍ଧିଥାନ୍ତି
ନ ହେଲା ନାଇଁ ।
ହସିବି ଖେଳିବି ଗାଇବି ନାଚିବି
ଉନ୍ମତ୍ତ ଏ ମୋର
ମନକୁ ନେଇ !
ଆଗକୁ ଆସୁଛି ପହିଲି ଆଷାଢ଼
ରଜସ୍ୱଳା ମୋର
ମାଆ ଅଚଳା !
ପୂର୍ଣ୍ଣଗର୍ଭା ହୋଇ ପୁଲକି ଉଠୁଛି
ଆଶା ରଖେ,ହେବ
ଶସ୍ୟଶ୍ୟାମଳା !
ମିଳନର ମଧୁ ସଙ୍ଗୀତ ଶୁଭୁଛି
ଆକାଶ ସାଗର
ନୀଳ ବକ୍ଷରେ ।
ଆଗାମୀ ଦିନର ନୂଆ ସମ୍ଭାବନା
ନବ ଉନ୍ମାଦନା
ଜାଗେ ମନରେ ।
ପାରମ୍ପରିକ ଏ ରଜର ପରବ
ବର୍ଣ୍ଣ ବୈଷମ୍ୟର
ଛୁଏଁନି ଭାବ ।
ପ୍ରୀତି ପ୍ରଣୟର ଅପୂର୍ବ ରୀତିରେ
ମୈତ୍ରୀ ବନ୍ଧନର
ନୂଆ ସରାଗ ।
ପ୍ରଣୟ ଋତୁର ମତୁଆଲା ବାସ୍ନା
ମହୁଆ ମୌସୁମୀ
ଆସିଛି ନେଇ ।
ବିରହ ରାଗିଣୀ ଶୃଙ୍ଗାର କାହାଣୀ
ମଧୁ ମୁହୂର୍ତ୍ତରେ
ମନ ହଜେଇ !
ଅନୁଭବୀ ସିନା ଅନୁଭବ କରେ
ପହିଲି ରଜର
ସ୍ପର୍ଶ ମଧୁର !
ମୌସୁମୀ ଜାଣୁଛି,ବସୁଧା ହସୁଛି
ପୁଷ୍ପବତୀ ମେଘ
ଢାଳେ ଆସାର ।
କରୋନା ଲୋ ! ତୋତେ କିଏ ବା ପଚାରେ
ଆସିଲୁ,ରହିଲୁ
ଯିବୁ ତୁ ଚାଲି ।
ବରଷକେ ଥରେ ଏ ରଜ ଋତୁରେ
ମଉଜରେ ଆମେ
ଖେଳିବୁ ଦୋଳି ।