STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଅସ୍ପଷ୍ଟ ଶବ୍ଦଲିପି

ଅସ୍ପଷ୍ଟ ଶବ୍ଦଲିପି

1 min
126


ଆଜି ବି ମୁଁ ବୁଝି ପାରୁନି

ତୁ କଣ କହୁଛୁ?

ବୁଝିବାକୁ ଭାବେ ଅନେକ,

ମାତ୍ର ଅବୁଝା ରହିଯାଉ,

ଅବା ଅଣ-ବୁଝା ରହିଯାଉ ତୁ।

ଯାହା ବୁଝେ ମୁଁ ,କେବେ କେବେ

ଠିକ ହୋଇ ଯାଏ, ମାତ୍ର

ଅନେକ ସମୟରେ 

ମୁଁ ଭୁଲ ପାଏ ନିଜକୁ।

ମୋ ବୁଝିବା ର ପରିଧି ଟା

ଅଙ୍କାବଙ୍କା ହୋଇଯାଏ ପ୍ରାୟତଃ।


ତୋ ହସ,ତୋ ରୁଷା

ତୋ ବାଣୀ ତୋ ଠାଣି

ଆଜି ବି ଆଗ ପରିକା।

ତୁ ହାତ ହଲଉ ଡାକୁ

ଆସିବାକୁ ଇଙ୍ଗିତ କରୁ

ଅବା ତୋ ଚୂର୍ଣ୍ଣ କୁନ୍ତଳ ମାଳ କୁ

ସଜାଡ଼ିବାର ପ୍ରୟାସ କରୁ

ବୁଝି ପାରେନା ମୁଁ।

ସେତେବେଳେ ବି ବୁଝି ପାରୁନଥିଲି

କେତେଥର ଧୋକା ଖାଇଛି ବି

ସାଙ୍ଗ ମାନଙ୍କ ସହିତ କଥା କଥାରେ

ହସୁ ଅବା ମୋ ଵିଵଶତା ରେ ,

ଜାଣିପାରୁ ନଥିଲି ମୁଁ।

ଆଜି ବି ସେହିଭଳି ଅବୁଝା

ଚିତ୍ରଲିପି ଟିଏ ତୁ।

ନିରେଖି ଚାହିଁଲେ ବି ଦେଖା ଯାଉନା।

ନଦେଖି ବି ରହି ହୁଏନା।


ଆଜି ବି ସାମ୍ନା ସାମ୍ନି ହେଲା ପରେ

ତୋ ଆଖି ଭରା ହସ

ବାନ୍ଧି ହୋଇଗଲା ପରି ଲାଗନ୍ତି

ଛନ୍ଦି ହେଲାପରି ଜଣା ପଡନ୍ତି

କେତେବେଳେ କଥାରେ କଥାରେ

କେତେବେଳେ ପ୍ରସଙ୍ଗ ବଦଳେଇ

ପଳାୟନ ମୁଦ୍ରାରେ।

ପରିପକ୍ଵ ଆଖି ଦି'ଟା 

କେବଳ ଚାହୁଁ ଥାଆନ୍ତି

ମାତ୍ର ହଜି ହଜି ପୁରୁଣା ଛନ୍ଦରେ

ଏବଂ ଭିଜି ଭିଜି ଅଭିଜା ରଙ୍ଗରେ

ପଢ଼ିବାର ଉତ୍କଣ୍ଠା ହଜି ଗଲାପରେ

ଅନୁଭବ କରେ ଆଜି

ଅଭିଳାଷା ଅବଶେଷ ଜୀବିତ

ସଂଜୀବନି ଅନ୍ୱେଷଣ କାମୀ।


ତୋର ଶବ୍ଦରେ ଶବ୍ଦରେ ଆଜି ବି

ରାଗିଣୀ ଛନ୍ଦ ଭରା

ପ୍ରତି ସଂଳାପରେ ତୋର ଅସ୍ପଷ୍ଟ 

ଇନ୍ଦ୍ରଧନୁ ର ସପ୍ତରଙ୍ଗୀ ଆଭା

ମାତ୍ର ବିନ୍ଦୁ ବିନ୍ଦୁ ବର୍ଷା ଆଘାତରେ

ଆହତ ପୁଷ୍କରିଣୀ ର ଶାନ୍ତ 

କାୟା ତଳୁ ଦୃଶ୍ୟମାନ

ହୃଦୟର ଚିତ୍ରିତ ଚିତ୍ରପଟ

ଆଜିବି ଉନ୍ମୁକ୍ତ ସ୍ୱତଃ ପ୍ରକଟିତ

ବଖାଣେ ବାଚାଳ ପ୍ରାୟ

ଅନେକ ଅସ୍ପଷ୍ଟ ଶବ୍ଦଲିପି।

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍