ଅସହାୟ ଯୁବତୀ
ଅସହାୟ ଯୁବତୀ
ହାଡଭଙ୍ଗା ଶିତେ ଥରୁଛି ଯୁବତୀ
କାଖେ ଧରି ଶିଶୁପୁତ୍ର,
ଚିରା ପଣତରେ ଢାଙ୍କି ସେ ଭାବୁଛି
କେମିତି କାଟିବ ରାତ୍ର l
କନ୍ଥଡାଟି ନାହିଁ ତାହାରି ପାଖରେ
ସେ ଅଟେ ହୀନ କପାଳୀ,
ଭରା ଯୌବନେ ଗେରସ୍ତ ଛାଡିଲା
ଖାଇବାକୁ ନାହିଁ ଗୋଟିଏ ଓଳି l
ଦୁଇ ମାସ ଶିଶୁ କନ୍ୟାଟି ତାହାର
କି ଦୋଷ ଯେ କରିଥିଲା,
ଗେରସ୍ତ ତାହାର ପୁଅର ଆଶାରେ
ଅନ୍ୟ ସ୍ତ୍ରୀକୁ ରଖିଲା l
କାମ ମାଗିବାକୁ ଯେଉଁ ଠାକୁ ଗଲା
କାମ ତ ମିଳିଲା ନାହିଁ,
ଯୌନପିପାସୁ ପିମ୍ପୁଡି ପରି
ମାଡି ଆସିଗଲେ ଧାଁଇ............
ଶାଢ଼ୀ ଖଣ୍ଡିକହିଁ ଦେହରେ ତା ଥିଲା
ଟାଣିଟାଣି ଚିରିଦେଲେ,
କ୍ଷଣିକ ସୁଖର ଲାଳସା ପାଇଁ
ଶରୀର ରକ୍ତାକ୍ତ କଲେ l
ବୁକୁରେ ତାହାର ଅସୁମାରୀ କୋହ
ଶୁଣିବାକୁ କେହି ନାହିଁ,
ବାରଣ୍ଡାରେ ସିଏ ଅପେକ୍ଷା କରିଛି
ସକାଳଭି ହେଉ ନାହିଁ l
ଅପବିତ୍ର ତାର ଶରୀର ହୋଇଲା
କାମୁକ ଭିକାରୀ ପାଇଁ,
ଝାସିବି ପାରୁନି ଜୀବନକୁ ସିଏ
ଶିଶୁ ମୁଖଟିକୁ ଚାହିଁ l
ଦୁଇଦିନ ହେଲା ଖାଇନାହିଁ କିଛି
ଶିଶୁ କାନ୍ଦେ କୁଆଁକୁଆଁ,
ସ୍ତନରୁ ତାହାର ଅମୃତ ଝରୁନି
ଜଳୁଛି ହୃଦୟେ ନିଆଁ.........
କେଉଁଠିକୁ ଯିବ କେମିତି ରହିବ
ଶୀତ ତାକୁ ବାଧୁନାହିଁ,
ରଖ ଦୀନବନ୍ଧୁ ବୋଲି ଡାକୁଅଛି
ଶିଶୁର ମୁଖକୁ ଚାହିଁ l
ତା'ର ଶିଶୁକନ୍ୟା ତୁମର ସମ୍ପତି
ତୁମେହିଁ କରିବ ରକ୍ଷା,
ହେ ଦିବାକର ଉଦୟ ହୁଅହେ
ନିରାଶ୍ରୟଃ ମାଗେ ଭିକ୍ଷା l
ସୁକାନ୍ତି ହୋତା
ତାଳଚେର
