ଅସହାୟ ପଣିଆ
ଅସହାୟ ପଣିଆ
*ଅସହାୟ ପଣିଆ*
ସୃଷ୍ଟିର ଆରମ୍ଭରୁ ଏଯାବତ ଚାଲିଛି
ଆଗକୁ ବି ନିଶ୍ଚିତ ଜାରି ରହିବ,
ଜିଇଁବାକୁ ଅବା ସଳଖି ଠିଆ ହେବାକୁ।
ନିଜର ପତିଆରା ଜାହିର ତ
ପ୍ରତିଷ୍ଠିତ ହେବାର ନିଶାରେ।
ଅସଫଳରୁ ସଫଳତା ପାଇବା ପାଇଁ,
ମାତୃ ଗର୍ଭରୁ ଭୂମିକୁ ସ୍ପର୍ଶ ଯାଏ,
ସର୍ବଶ୍ରେଷ୍ଠ ମାନ୍ୟତା ପାଇଁ ହେଉ
ସବୁକିଛି ହାସଲ ପାଇଁ ହେଉ।
ଉପରକୁ ଉଠିବା ପାଇଁ ହେଉ
ଅବା ତଳକୁ କାହାକୁ ଖସେଇବା ପାଇଁ ହେଉ।
ସଂଘର୍ଷ, ସଂଗ୍ରାମ ଚାଲିଥାଏ ସବୁବେଳେ।
ଚାଲିଥାଏ ବଞ୍ଚିବା ବଢିବାର ସଂଘର୍ଷ।
ଭୂମିରୁ ଭୂମା ଯାଏ ,ପଶୁ ରୁ ମାନବ ଯାଏ।
କେବଳ ସଂଘର୍ଷ ସଂଘର୍ଷ ଆଉ ସଂଘର୍ଷ।
ଥିଲା ଅଛି ରହିବ।
ନିଆରା ସଂଘର୍ଷ
ନାରୀ ପୁଣି ସର୍ବସ୍ବ ତ୍ୟାଗ କରି ମାତୃତ୍ଵ ଲାଭ ପାଇଁ,
ବୀଜଟିଏ ମାଟି ଫୁଟି ଅଙ୍କୁରୋଦଗମ
ହେବା ପାଇଁ।
ଅତ୍ୟାଚାରରୁ ମୁକୁଳିବାକୁ ତ
ଜୀବନ ସହ ସଂଘର୍ଷ ବଞ୍ଚିବାକୁ
ଗରିବର ଗରିବୀପଣିଆ ସହ ସଂଘର୍ଷ।
ପ୍ରତି ମୂହୁର୍ତ୍ତରେ, ପ୍ରତିକ୍ଷଣ
ଆଖପାଖ, ଚାରିପଟେ
ସଂଘର୍ଷ ମୟ ଜୀବନେ
ସଂଘର୍ଷ ବିନା ସଫଳତା ମିଳେନା।
ଆଶା ସବୁ ସମାଧିସ୍ଥ ପୂର୍ବରୁ
ଅହରହ ଚାଲେ,
କିଏ ବୁକୁ ଫଟାଇ ତ
କିଏ ବାହୁନି ବାହୁନି
କିଏ ମୁହଁ ଲୁଚେଇ ତ
କିଏ ଅସହାୟତାକୁ ଦେଖେଇ।
ନର,ନାରୀ,କୀଟ,ତରୁ,ପଶୁ ପକ୍ଷୀ
ସମସ୍ତେ ସଂଘର୍ଷ ରତ।
ନିଆରା ନିଆରା ତାର ସଂଘର୍ଷ।
କିଛି ପାଇବାକୁ,ଖାଇବାକୁ,ନେବାକୁ
ନଥାଏ ତାର ଅଭିଳାଷ।
କେବଳ ଦେବା ପାଇଁ,
ଅନ୍ୟକୁ ଦେବା ପାଇଁ।
ଦେଇ ଦେଇ ସିଏ ନିଃସ୍ଵ।
ତଥାପି ତା ପ୍ରତି ନଥାଏ କାହାର ଦରଦପଣିଆ।
ସେ ଅନୁଭବୀ, ଅନୁଭବ ତାର ନିଆରା।
ଚିହ୍ନେ ଏ ସମାଜକୁ।
ହେଲେ କେବେ ସେ ଦେଖାଏ ନାହିଁ
ତା ଅସହାୟ ପଣିଆ।
