ଅପବାଦ
ଅପବାଦ
"ଅପବାଦ"
ସେ ଛାଡିଯାଇଥିବା ଅରଟରେ ଏବେ ବି ଛନ୍ଦାଛନ୍ଦି ହୋଇ ପଡିଛନ୍ତି ବିପ୍ଳବୀଙ୍କ କାହାଣୀ ସବୁ
ସାବରମତିର "ବୈଷ୍ଣବଚନ..."ଆଳରେ ଶୁଭୁଛି ଦୁର୍ନୀତିର ମୋହିନୀ ମନ୍ତ୍ର
ସମାଜର ନୀତି ନିର୍ଦ୍ଧାରକ, ପୂଜିପତିଙ୍କ ଆକ୍ରୋଶରେ ଗଣତନ୍ତ୍ରର ସ୍ତମ୍ଭ ସ୍ଥାଣୁ ଦୁର୍ବଳ
ଯେଉଁଠି ବାଜି ରାଉତ, ଲଖ୍ମ୍ନଣ ନାୟକଙ୍କ ରକ୍ତଛିଟା ବିଜୟଟୀକା'ର ବାନା ଉଡାଉଛି
ସେଠି ଜାତିଆଣଭାବର ସଂକୀର୍ଣ୍ଣତା ବହୁଛି ଗଣତନ୍ତ୍ରର ଚିରାଚରିତ ନାଟକୀୟ ସ୍ରୋତରେ
ସ୍ପଷ୍ଟ ବାରିହୁଏ ଅଭାବଗ୍ରସ୍ତ ଜାତୀୟତାବୋଧର ସଂକ୍ରମିତ ତୁଣ୍ଡ ବାଇଦ
ପ୍ରତିକ୍ଷଣେ ଇଙ୍ଗିତ କରେ ସ୍ବାଧୀନତା ନାମରେ ଏଯାବତ ସହି ଆସୁଥିବା କଟୁ "ଅପବାଦ"...
ଉଦାସୀନତାର ଅସ୍ୱଚ୍ଛ ଭାରତରେ ଏବେବି କେହି ଅଲକ୍ଷରେ ଗୁମୁରି ଗୁମୁରି ଵିଲାପୁଛି --
"ନୀଲଚାଷ ଆନ୍ଦୋଳନର ଅସ୍ତିତ୍ବ ନାହିଁ, ବରଂ ଶିଳ୍ପଶାସ୍ତ୍ରର ନୂଆ ବାଣୀରେ ବନ୍ଦୀ କୃଷି, କୃଷକ
ଲବଣ ସତ୍ୟାଗ୍ରହ, ଦାଣ୍ଡି ଅଭିଯାନକୁ ବାଡି଼କରି ଚାଷୀ ମୁଲିଆଙ୍କ ବହୁ ଲହୁ ଲୁହ ସାଉଁଟିଛ
ରାଜରାସ୍ତାରେ ଗଡୁଛି ଆମରଣ ଅନଶନ ଶସ୍ତା ରାଜନୀତିର ଆଢୁଆଳରେ
ଏ କି ସ୍ବାଧୀନତା ?? ବିଦାରିଚାଲ ମୋ ଛାଡିଯାଇଥିବା ବୀରତ୍ବର ଭାରତକୁ
କଥା ଦେଲି ଆଉ ଆସିବିନି ତୁମ ସନ୍ଦିଗ୍ଧ ସଭ୍ୟତାକୁ ଅହିଂସାର ମାପକାଠିରେ,
ବଖାଣିଚାଲ ଗଦାଗଦା ସଫଳତାର କାହାଣୀସବୁ ରାଜନୀତିର ବିବର୍ତ୍ତନରେ
ମୋ ସ୍ୱପ୍ନର ଭାରତରେ ଅଣ୍ଟା ଭିଡିଥିବା ସଂସ୍କୃତି ଆଦର୍ଶ ଆଜ଼ି ଉପେକ୍ଷିତ, ଉପହସିତ
ବିଦେଶୀ ବର୍ଜନ, ନିଶା ନିବାରଣ ଆଳରେ କରିଚାଲ ପ୍ରତିମୂର୍ତ୍ତୀ ଉନ୍ମୋଚନ
ବୀର ସୈନିକ ର ତ୍ୟାଗ, କ୍ରାନ୍ତିକାରୀଙ୍କ ସ୍ୱାଭିମାନ, ବଳିଦାନର ସ୍ବାକ୍ଷର ସର୍ବଦା ହାସ୍ୟାସ୍ପଦ..
ଦଳିତ, ବିସ୍ଥାପିତ ସଂଖ୍ୟାଲଘୁ ସଭିଏଁ ଲୋଡ଼ନ୍ତି ଅନୁକମ୍ପା, ସହାୟତା ର ଅପଶବ୍ଦ ..
ବିବ୍ରତ ଅପ୍ରମିତ ନୟନ ଆଜ଼ିବି ଚାତକ ପରାଏ ଦେଖନ୍ତି ସ୍ବାଧୀନତାର ମୁଠାଏ ସପନ
ଶୁଭିଲାଣି ବୋଧେ ଅଶ୍ୱାରୋହଣ, ଦିଶିଲାଣି ମାଣିକ ଗଉଡ଼ୁଣୀ..ହୁଅନ୍ତା କି ଆଉ ଥରେ କାଞ୍ଚି ଅଭିଯାନ
ପିଢ଼ି ପରେ ପଢି ଆଉ ସାମ୍ନା କରନ୍ତେନି ଅସୁରକ୍ଷିତ ସ୍ବାଧୀନତାର ଅବୈଧ "ଅପବାଦ"....
