ଅପାସୋରା ପୁଣି ସେ ଆମ ଭରସା
ଅପାସୋରା ପୁଣି ସେ ଆମ ଭରସା
ବର୍ଷା( ୧)
ବାରଟି ମାସରେ ଛଟି ଭଉଣୀ
ଏ ମର୍ତ୍ତ୍ୟ ଧାମେ ଆସନ୍ତି,
ଦୁଇଦୁଇ ମାସ ଅଭିନୟ କରି
ଯେଝା ପଥରେ ଗମନ୍ତି।
ଋତୁ ମଧ୍ୟେ ସାର ଋତୁରାଜ ସିଏ
ବରଷା ଋତୁ ଅଟଇ,
ଜନଜଗତ ଠୁ ଜୀବଜଗତ ଯାଏ
ସଭିଙ୍କୁ ଖୁସି ଦିଅଇ।
ସବୁଜିମା ଭରା ହୁଏ ଧରତିମାତା
ଶୀତଳ ବାରି ପରଶେ,
ବରଷା ଋତୁ ତ ସଭିଙ୍କ ଭରସା
ସର୍ବେ କହନ୍ତି ହରସେ।
ସ୍ମୃତି (୨ )
ବର୍ଷା ଆଗମନେ ଗାଁ ବାଡି କ୍ଷେତ
କର୍ଷଣ କରଇ ଚାଷୀ,
ପ୍ରାକୃତିକ ସାର,ଖତ ପିଡିଆରେ
ବିହନ ବୁଣଇ ବସି।
ବୁନ୍ଦା ବୁନ୍ଦା ଜଳ ସିଞ୍ଚନ କରିଣ
ମଞ୍ଜି ରୁ ଗଜା ବାହାରେ,
ବରଷା ପାଇଲେ ଗଜାମାନ ସବୁ
ଗଛ ହୋଇ ଫଳ ଧରେ।
ଖଡା,ଲେଉଟିଆ, ଛଞ୍ଚିଣା,କାକୁଡ଼ି
ଭେଣ୍ଡି, ଜହ୍ନି, ବାଇଗଣ,
ଫଳଫୁଲ ଭରା କ୍ଷେତ ଓ ବାଡ଼ିରେ
ପ୍ରଜାତିର ଭଣଭଣ।
ସବୁଜ ତଟକା ପନିପରିବାକୁ
ଦେଖି ଚାଷୀ ପେଟ ପୁରେ,
ଆବଶ୍ୟକ ରଖି ବଜାରରେ ବିକି
ଗୁଜୁରାଣ ତା'ର ଭରେ।
ସାତସପନ ତ ହୋଇଲାଣି ଆଜି
ସେକାଳ କଥା ଯେ ଏବେ,
ବର୍ଷା ଋଷିଲାଣି ମଣିଷ ଉପରେ
କି ହେବ ଚାଷୀ ତ ଭାବେ।
ମେଘ (୩)
ଜଙ୍ଗଲର ଅବକ୍ଷୟରୁ ତ ନଷ୍ଟ ହୁଏ
ପରିବେଶ ଜାଣ,
ସବୁଜ କଣିକା ଅଭାବରୁ ହୁଏ ନାହିଁ
ଜଳ ବାଷ୍ପୀକରଣ ।
ସୂରଜ ତାପରେ ଜଳିଯାଏ ମହୀ
କେମିତି ଜଳ ଶୋଷିବ,
ଗାଡିଆ,ପୋଖରୀ, ନଦୀନାଳ ଶୁଖେ
ମେଘ କେଉଁଠୁ ଆସିବ।
ଜଙ୍ଗଲଟା ପ୍ରାକୃତିକ ଶୀତଳୀ
କରଣ ଯନ୍ତ୍ର ଯେ ଅଟେ,
ତା ପାଇଁ ମେଘରୁ ବରଷା ବରଷେ
ଜଳାଭାବ ପରା ହଟେ।
