ଅପାଶୋରା ପିଲାଦିନ
ଅପାଶୋରା ପିଲାଦିନ


ଜୀବନର ସବୁ ସ୍ମୃତିଠୁ ମଧୁର
ବିହ୍ଵଳିତ ସେହି କ୍ଷଣ,
କାହିଁକି କେଜାଣି ବୟସ ମୋ
ଫେରେ, ସ୍ମୃତି କଲେ ରୋମନ୍ଥନ। [୧]
ମନେ ପଡିଯାଏ ପିଲାଦିନ କଥା
ପୁଚି ବୋହୁଚୋରି ଖେଳ,
ତୋକ ଖରାବେଳେ ଅଧାନିଦୁ ଉଠି
କୋଳି ତୋଳିବାର ବେଳ। [୨]
ହାମ୍ବଡା ଖଟାକୁ ଯେଉଟ ଚଟଣି
ତା ସାଥେ ନାଲିଆ ଟଭା,
ପଖାଳକୁ ମାଛ ପତ୍ରପୋଡା ଆମ୍ବ
ଚଟଣି ଭିଁ କୋଳି ଭଜା । [୩]
ବାଡିର ଭଇଁଚ ବେତ ଖିରି କୋଳି
ଆଜିତ ସପନ ସମ,
ଆହାକି ସୁମିଷ୍ଟ ଦହି ଦହି ଲଟି
ପେଷ୍ଟ୍ରୀ ଠାରୁ ମୂଲାୟମ। [୪]
ସାନ ବଡ ସାଙ୍ଗ ସାଥି ମେଳେ
ସନ୍ତସନ୍ତି ଧାନ ବିଲେ ଯାଇ,
ପୁଚୁରୁ ପାଚୁରୁ କାଦୁଅ ଚିମୁଟି
ଗଡିଶା କେରାଣ୍ଡି ନେଇ । [୫]
ମଝି ଗୋହିରିର ଇଟାଭାଟି କଡେ
ଭାତ ମାଛ ଝୋଳ ଭୋଜି,
ଭୋଜିର ଅନ୍ତରେ ରଥିଆ ତେଣ୍ଡାରେ
ପାଣି ବୋହିବାର ବାଜି । [୬]
ଚାନ୍ଦିନୀ ପିଣ୍ଡାରେ ବାଘବାଜି ଆଉ
କାଚ କଉଡିର ଖେଳ।
ଶୀତଳ ଷଷ୍ଠୀରେ ବାଦିପାଲା ଦେଖି
ରାତି ପୋହିବାର ବେଳ । [୭]
ମୁଣ୍ଡ ପୋତା କେଳା ଘଣ୍ଟପାଟ ନାଟ
ବାଉଁଶ ରାଣୀର ଖେଳ,
ଶନିଆ ଭୋଇର ଧୁଡୁକି କୀର୍ତ୍ତନ
ଦୀନା ସାଇକେଲ ଖେଳ। [୮]
ଦୋଳ ମେଳଣରେ ଠେଲା ପେଲା
ହୋଇ ବାଇସ୍ କୋପ୍ ଦେଖା,
ନୂଆ ନୂଆ କେତେ ଖେଳନା ପାଇଁକି
ଅଳି କରିବାର ଗାଥା। [୯]
ନଣ୍ଡା ଶଗଡର ଦଣ୍ଡାରେ ଓହଳି
କେତେ ଉଠୁପଡ ସଜା,
ଗୁଆ ଖୋଳପାରେ ଘୁଷୁରି ଘୁଷୁରି
ସ୍ଲେଜ୍ ଗାଡିର ମଜା। [୧୦]<
/p>
ନଡିଆ ବରଡା ପତରେ ତିଆରି
ଘଣ୍ଟା ସାଇକେଲ ମୁଦି,
ବଉଳ ଫୁଲକୁ ପଛୁ ପଛ ଗୁନ୍ଥି
ହାର କାନଫୁଲ ପିନ୍ଧି । [୧୧]
ତାଳ ପତରରେ କେତେ ଯେ ଆସନ
ଭୋଗେଇ ବିଂଚଣା ବୁଣି,
ଭୋଦୁଅ ପାହାନ୍ତି ଫୁଲ ତୋଳା ମଜା
ପୂଜିବା ଖୁଦୁରୁକୁଣି। [୧୨]
କୁଆଁର ପୂନେଇଁ ରାତି ସାରା ଖେଳ
କେତେ ମଜା ଗପ ସପ,
ବାଳୁଙ୍ଗା ପିଲାଙ୍କ ଛୁପି ଛୁପି ନାଟ
ଡାଳଭୂତ ପାଳଭୂତ । [୧୩]
ରଜ ପରବରେ ରଜ ଦୋଳି ଖେଳ
ସହ ରଜ ଦୋଳି ଗୀତ,
ବଡ ସୁଆଦ ଅମାଲୁ ବିରି ଲଡୁ
ତାଳ ପୋଡପିଠା ମିତ। [୧୪]
ବରଷା ସୁଅରେ ଛୋଟ ବଡ କେତେ
କାଗଜ ଡଙ୍ଗାର ଭେଳା,
ନାଲି ଟୁକୁଟୁକୁ ସାଧବ ବୋହୁକୁ
ଆଉଁସି ଦେବାର ବେଳା। [୧୫]
ବଉଳ ଆଖିରେ କାନ୍ଧିଆ ଚୋପାକୁ
ଖଂଜେ ଚିପୁଡିବା ମଜା,
ତେନ୍ତୁଳି ମଂଜି କୁ ଘୋରି ଘୋରି
ଦେହେ ଚେଙ୍ଗିବା ଦୁଷ୍ଟାମି ସଜା । [୧୬]
ଖେଳ ଛୁଟି ବେଳେ ଇସ୍କୁଲ ହତାରେ
ବର ଓହଳରେ ଖେଳ,
ପରୀକ୍ଷା ଶେଷରେ ଉଇ ହୁଙ୍କା ଖୋଜି
ସ୍ୟାହି ଢାଳିବାର ଭୋଳ। [୧୭]
ମୟୁର ଚନ୍ଦ୍ରିକା ଆହୁରି ବଢିବ
ବହିର ଭିତରେ ରଖି,
ଆହା କି ସରଳ ମାନସିକତାରେ
କେତେ ହେଉଥିଲୁ ଖୁସି। [୧୮]
ମନମୋ କହୁଛି ଟାଇମି ମେସିନି
ହୁଅନ୍ତାକି ଉଦ୍ଭାବନ,
ସବୁଠୁ ନିରୀହ ସବୁଠୁ ସରଳ
ଫେରନ୍ତାକି ସେହି ଦିନ। [୧୯]
ମନରେ ନଥିଲା କପଟ କାଳିମା
ନିଜ ପର ହୀନ ମନ,
ମଧୁଠୁ ମଧୁର ଦୁର୍ମୂଲ୍ୟ ସେ କ୍ଷଣ
ଅପାଶୋରା ପିଲାଦିନ। [୨୦]