ଅନ୍ତର୍ଜାତୀୟ ମହିଳା ଦିବସ ଓ ଭାରତ -ସଂଜୟ କୁମାର ତ୍ରିପାଠୀ
ଅନ୍ତର୍ଜାତୀୟ ମହିଳା ଦିବସ ଓ ଭାରତ -ସଂଜୟ କୁମାର ତ୍ରିପାଠୀ
ଏଇ ଯେମିତି ଗୁରୁବାରୀ
ଘର କାମ ସାରି ଫେରୁଛି
ଗୋଧୂଳି ଲଗ୍ନରେ
ସେ କ’ଣ ପହଞ୍ଚି ପାରିବ ତା ପଣ୍ଡି କୁଟୀରରେ ?
ନିର୍ଭୟା, କୁନ୍ଦୁଲି ପୀଡିତାଙ୍କ ଦଶା ଭୋଗିବନି ତ ?
ନାରୀକୁ ପଣ୍ୟବସ୍ତୁ ରୂପେ ବିବେଚନା କରିବାର
ମନୋବୃତ୍ତ ବହୁଳ
ଏ ପୁରୁଷ ପ୍ରଧାନ ଭାରତୀୟ ସମାଜରେ
ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ରାମରାଜ୍ୟ
କ’ଣ ସାକାର ହୋଇ ପାରିବ ?
ଶ୍ରେଣୀ ବୈଷମ୍ୟ ଭରା ସମାଜ, ପ୍ରଦୂଷିତ ପ୍ରଶାସନ
ଓ ପଙ୍ଗୁ ବ୍ୟବସ୍ଥାରେ ଏକ କ୍ରୀଡନିକ ହୋଇ
ରହି ଯିବନି ତ ନାରୀ ?
ସୁନୀତା ୱିଲିୟମ୍ସ ତ ପ୍ରକୃଷ୍ଟତାର ଶେଷ ପରିଚୟ
ଗାର୍ଗୀ, ମୈତ୍ରେୟୀ ଓ ଶକୁନ୍ତଳା ଦେବୀଙ୍କ ଭାରତରେ
ଇନ୍ଦିରା ଗାନ୍ଧି, ପ୍ରତିଭା ପାଟିଲ ଓ ମୀରା କୁମାରଙ୍କ
ଭୂଖଣ୍ଡରେ
ନାରୀ ପୁରୁଷ ସମାନ-ବେଳେ ବେଳେ ତା'ଠୁ ଉର୍ଦ୍ଧ୍ୱ
ତଥାପି କାହିଁକି ଟି.ଭି. ଖୋଲୁ ଖୋଲୁ
ଗଣଦୁଷ୍କର୍ମ ଓ ପ୍ରପୀଡନର କାହାଣୀ ?
ଆସନ୍ନ ପ୍ରସବା ନାରୀ ହସ୍ପିଟାଲ ପହଞ୍ଚି ନ ପାରିବା।
ଦାନ ମାଝାର ମୃତା ପତ୍ନୀ କୋକେଇଟିଏ ନ ପାଇବା
ଉତ୍କଟ ଦାରିଦ୍ର୍ୟ ଓ ଭୋକର ଭୂଗୋଳରେ
ଦାଦନ ଖଟୁଥିବା
ନିଜ ଜନ୍ମିତ ସନ୍ତାନକୁ ଉଦର ଜ୍ୱାଳାରେ ବିକ୍ରି କରିବା
ଏ କ'ଣ ଆମର ପରିଚୟ ?
ଆନ୍ତର୍ଜାତିକ ମହିଳା ଦିବସରେ
ଗୁରୁବାରୀର ନିରାପତ୍ତା, ନିରନ୍ତି ମୁହଁରେ ଅନ୍ନ
ଓ ପୀଡିତାର ତ୍ଵରିତ ଚିକିତ୍ସା
ସର୍ବତ୍ର ସମତା ଓ ଅନାବିଳ ମମତାର ଜୟ ଜୟ କାର
ନୂତନ ପ୍ରାଣପ୍ରାଚୁର୍ଯ୍ୟର କୌମୁଦୀ ସୌରଭ
ଏକ ନବ ସଂଜୀବନୀରେ ଭରିଉଠୁ ଭାରତ ଭୂଖଣ୍ଡ
ନାରୀର ସମାନ ଅଧିକାର ବାର୍ତ୍ତା ନେଇ
କାଗଜ ଡଙ୍ଗାଟିଏ ଭାସି ଯାଉ ଦିଗ୍ବଳୟର
ସେ’ପାରିକୁ ।
