ଅନ୍ତହୀନ ବିଳାପ
ଅନ୍ତହୀନ ବିଳାପ
ନିର୍ଜନତା ବିଳପୁଛି ,
ନିଃସଙ୍ଗ ଜୀବନ ପଥେ ,
ହେଲେ , କିଛି ବି ଶୁଭୁନି ,
ବିଳପି ଉଠୁଥିବା ବେଦନାର ରାଗ,
ନା ଶୁଭୁଛି ସମବେଦନା ଜଣାଉ ଥିବା,
ପବନ ର ସାଏଁ ସାଏଁ ଶବ୍ଦ ,
ନା ଦେଖା ଯାଉଛି ,
ନିର୍ଜନତାର ଦୁଃଖଦ ମୁହୂର୍ତ୍ତକୁ ଅନୁଭବ କରି ,
ମୁଣ୍ଡ ପିଟୁଥିବା ଉତ୍ତାଳ ତରଙ୍ଗର ଦୃଶ୍ଯ ।
ନିର୍ଜନତା ତା ବିଦଗ୍ଧ ରାଗିଣୀର ,
ଆଳାପରେ ସୁର ତୋଳୁଛି,
ହେଲେ ସେ ଭଗ୍ନ ସ୍ବର ,
ବେଦନା ସିକ୍ତ କୋହରେ ହଜି ଯାଉଛି ,
ଯନ୍ତ୍ରଣା ଜର୍ଜରିତ ଦୀର୍ଘ ଶ୍ବାସର, ସିତ୍କାର ହିଁ ଶୁଭୁଛି ।
ଜୀବନର ଚଲାପଥ ସରି ସରି ଆସୁଛି ,
ଶେଷ ସଳିତାର ଶିଖା ପରି ,
ଧାରେ ଅନ୍ଧାର ଛଡା ଆଉ କିଛି ଦୃଶ୍ଯ ହେଉନି ,
ନିର୍ଜନତା ସେମିତି ବିଳପୁଛି । ।
ବେସୁରା ସୁର, କୋହ ଆପ୍ଳୁତ ବେଦନା ,
କିଛି ଅନ୍ଧାର .... ମୂଲ୍ଯହୀନ ଦୀର୍ଘଶ୍ବାସ ,
କେହି ବି ତ ସେଇ ଭଗ୍ନ ସୁରରେ ,
ସାନ୍ତ୍ବନାର ସୁରେ, ସ୍ନେହ ସିକ୍ତ ରାଗିଣୀରେ ,
ସେ ନୀରବ ହୃଦୟରେ ଝଙ୍କାର ତୋଳି ପାରୁନି ,
ନିର୍ଜନତା ସେମିତି ବିଳାପ କରି ଚାଲିଛି ,
ସତେ କି ଯେମିତି ଏକ ଅନ୍ତହୀନ ବିଳାପ । ।
