ଅନ୍ଧକାର
ଅନ୍ଧକାର
ବିତି ଯାଏ ରାତି ଊଣା ଲାଗେ ପ୍ରୀତି ଶୁଖିଯାଏ ମଲ୍ଲିମାଳ,
ଗୋଲାପ ଶେଯରେ କଣ୍ଟା ଫୋଡ଼ିହୁଏ ରାତି ହୋଇଯାଏ କାଳ |୧|
ବଢ଼େ ଅନ୍ଧକାର ଲାଗେ ହାହାକାର ଅକାଳ ଚଡ଼କ ଆସେ , କାଳରାତ୍ରୀ ଆସି ହାତ ପାହାନ୍ତାରେ ପିଠିରେ ଲାଗି କି ବସେ |୨|
ସବୁ ଶୂନଶାନ ନିସ୍ତବ୍ଧ ସହର ଛୋଟ ଶିଶୁ ଭଳି ଶୁଏ, କଳା ମଚମଚ କାଳିଆ ରାତିଟା ଭୟେ ମାଡ଼ି ମାଡ଼ି ଯାଏ |୩|
ଅନ୍ଧାରକୁ ଚିରି ଶ୍ବାନର ଡାକରା ଗାଆଁ ମୁଣ୍ଡଯାଏ ଶୁଭେ , ନିଦୁଆ ରାତିଟା ଭାରି ଅଳସୁଆ କଡ଼ ଲେଉଟେଇ ବସେ |୪|
କଳା ମିଟିମିଟି ଆଖି ଦୁଇ ତା'ର ଅନ୍ଧାରକୁ ଚିରି ଦେଖେ, ରାତ୍ରିଚର ସେହି ମଣିଷ ଗୁଡ଼ାକ ଘର ବାହାରକୁ ଆସେ |୫|
ଅନ୍ଧକାର ଡେଇଁ ବାହାରି ଆସଇ ରାତ୍ରି ସହଚର ବୋଲି, ସୁଖ ନିଦ୍ରା ଗୋଟି ଦେହେ ବସା ବାନ୍ଧେ ଆଖିକୁ ଆସେ ଚହଲି |୬|
ସପନ ରାଣୀଟା ପରୀ ରାଇଜରୁ ଓହ୍ଲାଇ ଆସିଲା ଥରେ, ରାତି ଅନ୍ଧକାରେ କଳା ପାହାଚରେ ପାଦ ଦେଇ ଧିରେ ଧିରେ |୭|
ସପନରେ ଆସି କାନ ତଳେ କହେ ତୋତେ ଭାରି ଭଲପାଏ, ତୁମେ ମହାରାଣୀ ମୋ ମନ ହରିଣୀ ଅନ୍ଧକାର ଭୁଲିଯାଏ |୮|
ଚିକ୍ ମିକ୍ ଲାଗେ ମନ ଆଇନାଟା ଯେବେ ଅନ୍ଧକାର ଆସେ, ଜୀବନ ସତ୍ଯର ପୂରା ପରସ୍ତଟା ଝିଲିମିଲି କରି ଦିଶେ |୯|
କାହାପାଇଁ ସିନା କଳା ଅନ୍ଧକାର ଅନ୍ଧାର କାଳିମା ଲାଗେ, ପୁଣି କାହାପାଇଁ ସେହି ଅନ୍ଧକାର ସୁନେଲି ସପନ ଜାଗେ |୧୦|
