ଅନାହତ ନାଦ ୨ ଭାଗ ୧
ଅନାହତ ନାଦ ୨ ଭାଗ ୧
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)
ଅମର ପୁରୁଷ ବୃକ୍ଷ ଆଉ ନିରଞ୍ଜନ ଡାଳ ତାର,
ତ୍ରିଦେବ ତାହାର ଶାଖା ଆଉ ସଂସାର ପତ୍ର ତାହାର ।୧।
ମୋର ସାହେବ ଗୋଟିଏ ମାତ୍ର, ଦ୍ୱିତୀୟର ନାହିଁ ସ୍ଥିତି,
ଯଦି ନାମ ନିଏ ଆଉ କାହାର, ସାହେବ ଠିଆ ଋୁଷନ୍ତି ।୨।
ଯାହାର ମୁଖ, ମସ୍ତକ ନାହିଁ, ନାହିଁ ରୂପ, କୁରୂପ,
ସୁଗନ୍ଧିତ ପୁଷ୍ପଠାରୁ ଅଧିକ, ତାହାର ତତ୍ତ୍ୱ ଅନୁପ ।୩।
ଦେହ ମଧ୍ୟରେ ରହେ ବିଦେହ, ସାହେବ ରୁପ ସ୍ୱରୂପ,
ଅନନ୍ତ ଲୋକେ ବିସ୍ତାର ଥାଏ, ନାହି ଯାର ରଙ୍ଗ ରୂପ ।୪।
ଜନ୍ମ ମରଣ ରହିତ ଯିଏ, ସାହେବ ମୋହର ସିଏ,
ଜୀବନ ତାଙ୍କ ପଦେ ଉତ୍ସର୍ଗ, ସୃଜନ କର୍ତ୍ତା ଯିଏ ।୫।
ଏକ କହିଲେ ସଠିକ୍ ନୁହେଁ, ଦୁଇ କହ ଭୁଲ ଭାରୀ,
ଯେମିତି ଅଛି ସେମିତି ଥାଉ, କହେ କବୀର ବିଚାରୀ ।୬।
ନାହିଁ ତାଙ୍କର ରୂପ ବା ରେଖ, ଧରେନି ଆଧାର ଦେହ,
ନଭ ମଣ୍ଡଳ ମଧ୍ୟରେ ରହେ, ସେହି ଶାଶ୍ୱତ ବିଦେହ ।୭।
ସାହେବ ଦ୍ୱାରା ହୁଏ ସମସ୍ତ, ମାନବ ପାରେନି କରି,
ଧୂଳିରୁ ପର୍ବତ ହୁଏ ଉତ୍ପନ୍ନ, ଧୂଳିସାତ କ୍ଷଣେ ଗିରି ।୬।
ପଥରକୁ ମାଟି କରନ୍ତି ସେ, ଉଡ଼େ ଧୂଳି ବାୟୁ ଦେଇ,
ଯାହା ଭାବନ୍ତି ସେଭଳି ହୁଏ, ଦେଲେ ସେ ହାତ ବଢ଼ାଇ ।୯।
ସମର୍ଥ ନାହିଁ ତାଙ୍କ ସମାନ, ଗୁରୁ ଗମ୍ଭୀର ବିଶାଳ,
ଅବିଗୁଣ ଛାଡ଼ି ଗୁଣ ରଖନ୍ତି, କ୍ଷଣେ ପହୁଞ୍ଚାନ୍ତି କୂଳ ।୧୦।
