STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଅନାହତ ନାଦ ୧

ଅନାହତ ନାଦ ୧

1 min
232

ଅନାହତ ନାଦ ୧ (୯୬ ପଦ) 


ଭାଗ ୧ (୧୨) ପଦ


କବି - ସନ୍ଥ କବୀର 


ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ 


ସଂସାର ସୃଷ୍ଟି କରିଛି ଯିଏ, କେହି ତାଙ୍କୁ ଚିହ୍ନି ନାହିଁ,

ଯେଉଁ ଚକ୍ଷୁରେ ଦେଖ ସମସ୍ତ, ତାଙ୍କୁ ଦେଖି ପାର ନାହିଁ ।୧। 

ପ୍ରିୟର ଲାଲି ଶକ୍ତି ଏପରି, ଚାରି ଦିଗ ଦିଶେ ଲାଲ,

ସେହି ଲାଲିମା ଦେଖିଲା ପରେ, ନିଜେ ହୋଇଗଲି ଲାଲ ।୨।  

ସମସ୍ତ ରସ ଚାଖିଛି ମୁହିଁ, ନାହିଁ ରାମ ରସ ସମ,

ରତିଏ ଦେହେ ସଞ୍ଚରି ଗଲେ, ଶରୀର କାଞ୍ଚନ ସମ ।୩। 

ପୋଥି ପଢ଼ି ପଢ଼ି ସମସ୍ତେ ଗଲେ, କେହି ହେଲେ ନାହିଁ ଜ୍ଞାନୀ,

ଅଢ଼େଇ ଅକ୍ଷର ପ୍ରେମର ଭାଷା, ଯେ ବୁଝି ପାରେ ସେ ଜ୍ଞାନୀ ।୪।  

କହେ କବୀର କରି ନାହି ମୁଁ ସଂସାରେ କୌଣସି କର୍ମ,

ସାଥୀର ପ୍ରିତୀ ମିଳିଛି ଯାହା ସବୁ ସେ ରାମଙ୍କ ଧର୍ମ ।୫। 

ଚକ୍ଷୁ ଭିତରେ ପଶିଲେ ତୁମେ, ପତା ବୁଜି ଦେବି ମୁହିଁ,

ଦେଖାଇ ଦେବିନି ଆଉ କାହାକୁ, ମୁଁ ମଧ୍ୟ ଦେଖିବି ନାହିଁ ।୬। 

ଦଶ ଦ୍ୱାରର ପିଞ୍ଜରା ଏହା, ପ୍ରାଣ-ବାୟୁ ପକ୍ଷୀ ରହି,

ରହିଲେ ହୁଏ ଆଶ୍ଚର୍ଯ୍ୟ କଥା, ବିଦାୟେ ଆଶ୍ଚର୍ଯ୍ୟ ନାହିଁ ।୭।  

ବିରହ ସର୍ପ ଦେହରେ ରହି କଲିଜାରେ କରେ ଘାଆ,

ସାଧୁ ଶରୀର ମୋଡ଼ ନିଏନି, ଯେତେ ଇଚ୍ଛା ସେତେ ଖାଆ ।୮। 

ରଙ୍ଗ ବେରଙ୍ଗୀ ତାରର ବାଦ୍ୟ, ବିରହ ବଜାଏ ନିତି,

ମୋହର ପ୍ରଭୁ ଓ ମୋ ବ୍ୟତୀତ, କେହି ନ ଶୁଣି ପାରନ୍ତି ।୯।  

ଯାଇ ନ ପାରେ ତୁମ ପାଖକୁ, ଡକେଇ ମୁଁ ବି ନ ପାରେ,

ଏମିତି ପ୍ରାଣ ଯିବାକୁ ଦିଅ, ସିଝି ସିଝି ବିରହରେ ।୧୦। 

ବିରହ ଅଗ୍ନିରେ ଘୁରି ବୁଲୁଛି, ଏହାହିଁ ମୋହର ଦୁଃଖ,

ଛାଇରେ କେବେ ବସି ପଡ଼ିଲେ, ଜଳିଯାଏ ସାରା ବୃକ୍ଷ ।୧୧।

ବିରହ ଅଗ୍ନିରେ ଜଳି ଜଳି ମୁଁ ଜଳାଶୟ ପାଶେ ଗଲି,

ମୋତେ ଦେଖି ସେ ଜଳିଲା, ଜାଣେନି କେଉଁଠି ଲିଭିବ ବୋଲି ।୧୨। 


Rate this content
Log in