STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଅମୃତ ସନ୍ତାନ

ଅମୃତ ସନ୍ତାନ

1 min
26.9K


ମୁଁ ହିନ୍ଦୁ ମୁଁ ମୁସଲମାନ

ମୁଁ ଖ୍ରୀଷ୍ଟିଆନ ମୁଁ ବୁଦ୍ଧଙ୍କ ସନ୍ତାନ ,

ମୁଁ 'ବେଦ'ର ଓଁ କାର

ମୁଁ 'କୋରାନ'ର ଝଙ୍କାର ,

ମୁଁ 'ବାଇବେଲ'ର ମଧୁରତା

ମୁଁ 'ତ୍ରିପିଟକ'ର ସରଳତା ,

ଜାଣେନା ମୁଁ ବାଧା ଓ ବନ୍ଧନ

ଲକ୍ଷ୍ମଣଙ୍କ ତିନି ଗାର

ସୀମାରେଖା ଏକ ଅଭେଦ୍ୟ ଦୁର୍ଗର,

ଉଦାସ ପୌଷର ମୁଁ ମଧୁସିକ୍ତ ସମ୍ମୋହନ

ମୁଁ ମଣିଷ ମୁଁ ଅମୃତ ସନ୍ତାନ ।।

 ମୁଁ ସଂଗୀତର ମଧୁର ମୂର୍ଚ୍ଛନା

ମୁଁ ଜହ୍ନର କୋମଳ ଜୋଛନା ,

ମୁଁ ମେଘର ମହାର୍ଘ ମହ୍ଲାର

ମୁଁ ପୁଣି ଫୁଲର ସୁଶୋଭିତ ସମ୍ଭାର ,

ମୁଁ ସାଗରର ଦୋଳାୟିତ ଢେଉ

ବସନ୍ତର ମୁଁ ବାସ୍ନାୟିତ ବାୟୁ ,

ଯାତ୍ରା ମୋର ପାପରୁ ପୁଣ୍ୟକୁ

ନର୍କରୁ ସତ୍ୟକୁ

ମୃତ୍ୟୁରୁ ଅମୃତ୍ୟୁକୁ

ଅଦିବ୍ୟରୁ ଦିବ୍ୟତ୍ଵକୁ ,

ଲକ୍ଷ୍ୟ ମୋର ଆଲୋକ ସଂଧାନ

ମୁଁ ମଣିଷ ମୁଁ ଅମୃତ ସନ୍ତାନ ।।

 ଆକାଶ ଛାତିରେ ଖୋଜେ ନିତି ନୂଆ ରଂଗ

ଚିତ୍ରିତ ପୃଥିବୀର ମୁଁ ଏକ ଭିନ୍ନ ପ୍ରତିବିମ୍ବ ,

ଧରଣୀ ବୁକୁରେ ଭରେ ମୁଁ ନୂତନ ସ୍ପନ୍ଦନ

ସାଗର ଗର୍ଭରେ ପାଏ ମୁକ୍ତାର ସ୍ପନ୍ଦନ ,

ପାହାଡ ଆଖିରେ ଦେଖେ ଧୌର୍ଯ୍ୟର ଆଲୋକ

ମଳୟରେ ଦେଖେ ମୁଁ ମୁକ୍ତିର ଝଲକ ,

ମୁଁ ଗତି ମୁଁ ପୁଣି ଶକ୍ତିର ଭଣ୍ଡାର

ମୁଁ ମୁକ୍ତି ମୁଁ ପୁଣି ସତ୍ୟର ସମ୍ଭାର ,

ମୁଁ ସ୍ଥିତି ମୁଁ ପୁଣି ଅବସ୍ଥିତି

ମୁଁ ଏକ ନୂଆ ଆଲୋଡନ

ଅମାବାସ୍ୟାର ଚନ୍ଦ୍ର,

ସତ୍ୟଶୀଳ ମୋ ବିବେକର ଆହ୍ଵାନ

ମୁଁ ମଣିଷ ମୁଁ ଅମୃତ ସନ୍ତାନ ।।

 ମୁଁ ଭୀମ ମୁଁ ଭୈରବ

ମୁଁ ସଂପଦ ମୁଁ ପୁଣି ବିପଦ

ମୁଁ କର୍ମ ମୁଁ ଧର୍ମ

ମୁଁ ପୁଣି ଏକତାର ମନ୍ତ୍ର

ବିଭାଜନର ସୁଚିନ୍ତିତ ଯନ୍ତ୍ର

ସୃଷ୍ଟିର ବୁକୁରେ ମୁଁ ପ୍ରଳୟର ବହ୍ନି

ପ୍ରଳୟର ଅନ୍ତରାଳେ ପୁଣି ସୃଷ୍ଟିର ବନାନୀ

ମୁଁ ସ୍ଵୟଂସିଦ୍ଧ,ସ୍ପର୍ଦ୍ଧିତ ବିଶ୍ଵାସ

ମୁଁ ତତ୍ତ୍ଵଦର୍ଶୀ,ଉଛ୍ବାସ ନିଶ୍ଵାସ

ଯାତ୍ରା ମୋର ନିଶ୍ଚେତନରୁ ଚେତନ

ମହନ୍ଧକାରେ ମୁଁ ଆଶାର କିରଣ

ମୁଁ ମଣିଷ ମୁଁ ଅମୃତ ସନ୍ତାନ ।।

-------------------------------------

ଅଧ୍ୟାପକ ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ,କେନ୍ଦୁଝର।


Rate this content
Log in