ଅମୃତ ବର୍ଷା
ଅମୃତ ବର୍ଷା
ତୁମ ଆବେଗ ଅଗ୍ନିରେ
ଦେଇ ମୋ ଅସ୍ତିତ୍ୱ ଆହୂତି
ଶ୍ରୀମୟ ତୁମ ଶ୍ରୀମୟୀ
ଲଭିଛି ଅନନ୍ୟ ଅନୁଭୁତି
ମୁଁ ଯେ ଆନମନା
ଶୁନ୍ୟ ମୋ ସମଗ୍ର ଚେତନା
ତୁମ ପ୍ରତୀକ୍ଷା ଅବଶେଷ
ତଦ୍ଭିନ୍ନ ସତେ କିଛି ବୁଝେନା
ଶୟନେ ସପନେ ପ୍ରଭୁ
କେବଳ ତୁମରି ଭାବନା
ହେଲେ ପଥରୁଦ୍ଧ ମୋର
ପ୍ରାପ୍ତି କେବଳ ଯାତନା
ଜାଣ ପ୍ରଭୁ ଅପୂର୍ଵ ସେ ଭାଵ
ଯେବେ ସାଜେ ତୁମ ନାୟିକା
କିନ୍ତୁ ଅଶ୍ରୁପାତ କରୁଛି ହୃଦୟ
ପିନ୍ଧି ତୁମ କଳଙ୍କର ଟୀକା
ମୁଁ କି ସତେ କୁହ ଶ୍ରୀମୟ
ଜନ୍ମିଛି ସହିବାକୁ ଲାଞ୍ଛନା
କଥା ଦେଇ ଚାଲିଗଲ
କରି ମୋ ସହ ପ୍ରବଞ୍ଚନା
ତୁମ ସାରଙ୍ଗ ସୁର ଆଜିବି
ହୃଦୟରେ ତୋଳେ ରାଗିଣୀ
ଅନନ୍ତ କାଳର ଏ ପ୍ରତୀକ୍ଷା
କରୁଥିବି ମୁଁ ତୁମ ବିରହିଣୀ
କୂଳ ଲାଜ ଛାଡି ସାଜି
ପ୍ରାଣପ୍ରିୟ ତୁମ ଅନୁରାଗିଣୀ
ସେଇ ହୃଦ କୁଂଜ ବନେ
ଆରାଧନା କରୁଛି ମାନିନୀ
ଜାଣ ତୁମ ସ୍ପର୍ଶ ଥିଲା
ଅପୂର୍ଵ ଅମୃତ ବର୍ଷା ଧାରା
ପ୍ରାଣ ପକ୍ଷୀ ଛାଡି ପାରୁନି
ଅମୃତ ଆପ୍ଳୁତ ଦେହ ସାରା
ମୁଁ ଯେ ତୁମର ଏକାନ୍ତ
ରାଧାରାଣୀ ଆଉ ତୁମେ
ବିଦିତ ରାଈ ମନ ଚୋର
ମୋ ଜନ୍ମ ଜନ୍ମାନ୍ତର ସହାରା
