ଅମର ପ୍ରେମ
ଅମର ପ୍ରେମ
ମୋ ସପନ ସୁନାଝରା ଝୁଲଣେ ତୁହି
ଝୁଲୁଛୁରେ ଦିବାରାତି କଳାକହ୍ନେଇ
ତୋର ଲାଗି ଅପବାଦ
ଲାଗେ ସିନା ମିଠା ସ୍ୱାଦ
ସେ ଗରଳ ପିଇଯାଏ ବିହ୍ଵଳ ହୋଇ
ହେ ନଟନାଗର ମୋର ହୃଦୟେଶ୍ୱର
ହୃଦୟ ମୋ ଦ୍ରଵୀଭୂତ ପ୍ରୀତିରେ ତୋର
ଭାବାବିଷ୍ଟ ଉନ୍ମାଦିନୀ
ତୋ ଲାଗିରେ ରାଧାରାଣୀ
ଝୁରେ ଅଗୁରୁ ଚନ୍ଦନ ସୁବାସ ତୋର
ମୋ ଶିରାପ୍ରଶିରାରେ ତୋ ନିଳାଭ ରଙ୍ଗ
ଭାବ ସିନ୍ଧୁରେ ମୋ ଖେଳେ ନୀଳ ତରଙ୍ଗ
ମୁଁ ଶ୍ୟାମା ତୁ ଶ୍ୟାମ ମୋର
ସହେନା ବିଚ୍ଛେଦ ତୋର
କ୍ଷଣାର୍ତ୍ତେ ବିରହ ଲାଗେ ସହସ୍ରଯୁଗ
ପଲକପତନେ ତୋ ବିଚ୍ଛେଦ ଅସହ୍ୟ
ଚକ୍ଷୁରୁ ପଲକ ମୋର ଉଠାଇ ନିଅ
ବ୍ରହ୍ମକଳ୍ପ ରାସନୃତ୍ୟ
ଲାଗେ ବିଦ୍ୟୁତ ପ୍ରାୟେ ତ
ତୁ ଥିଲେ ପୃଥିବୀ ଥାଏ ଆକାଶ ସହ
ଘୁଙ୍ଗୁର ଛାଏଁ ମୋ ନାଚେ ତୋ ବଂଶୀସ୍ୱନେ
ଉତ୍ତାଳ ତରଙ୍ଗ ଉଠେ ଉଦାସ ମନେ
ମୋ ପୁର,ସ୍ୱାମୀ,ସଂସାର
ତୁଚ୍ଛା ଆକର୍ଷଣେ ତୋର
ଧାଏଁ ବୋଳି ଗିଳି ନିନ୍ଦା ତୋ କୁଞ୍ଜବନେ
ଅମର ପ୍ରେମେ ମହକେ ଅସ୍ତିତ୍ୱ ମୋର
କି ଯାଦୁ ଜାଣୁରେ ଗୋପାଳ ଯାଦୁଗର
ତୋର ଭାବେ ଯେବେ ଭିଜେ
ସରିଯାଏ ମୁହିଁ ଲାଜେ
ସର୍ବାଙ୍ଗରେ ଶିହରଣ ଖେଳଇ ମୋର
ହୃଦ ମୋ ପୂରିତ ପ୍ରେମସିନ୍ଧୁରେ ତୋର
ସଞ୍ଚିତ ସେ ପ୍ରେମଧନ ସମ୍ପତ୍ତି ମୋର
ସୂର୍ଯ୍ୟ ପଶ୍ଚିମେ ଉଦୟ
ସୃଷ୍ଟିରେ ଘୋଟୁ ପ୍ରଳୟ
ପ୍ରେମ ମୋ ବନ୍ଧା ତୋ' ପାଦେ ଯୁଗଯୁଗର
ତୋ ମୋହିତମୋହନ ରୂପକୁ ଦର୍ଶନ
କରିବାକୁ ଅଣ୍ଟେନି ଏ ଦୁଇନୟନ
ମଦନଜିଣା ସେ କାନ୍ତି
ମେଣ୍ଟେ ନାହିଁ ମୋର ତୃପ୍ତି
ତୋ ଦର୍ଶନ ପାଇଁ ବାଞ୍ଛା କୋଟିନୟନ
