Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Others

3  

Prabodha Chandra Mudra

Others

ଅମ୍ଳାନ ଯଶସ୍ୱୀ ମର୍ଦ୍ଦରାଜ

ଅମ୍ଳାନ ଯଶସ୍ୱୀ ମର୍ଦ୍ଦରାଜ

2 mins
360


ଭାରତ ଭୂଖଣ୍ଡେ ଉତ୍କଳ ପ୍ରଦେଶେ  

ଗଞ୍ଜାମ ଯେ ବିଦ୍ୟମାନ ।

ଗଡଜାତ ମଧ୍ୟେ ଖଲ୍ଲିକୋଟଗଡ

ହୋଇଅଛି ଅଧିଷ୍ଠାନ ।। 


ମର୍ଦ୍ଦରାଜ କୀର୍ତ୍ତି କରୀଟମଣ୍ଡିତା 

ଏ ମାଟି ହୋଇଛି ଧନ୍ୟ ।

ବିଶ୍ୱଦରବାରେ ରାଜାଙ୍କ ସୁଯଶ

ଉଡିଛି ଜୟ କେତନ | | 


ଏ ଭଞ୍ଜ ମାଟିର ଅମୂଲ୍ୟ ରତନ 

ଥିଲେ ଅମୃତ ସନ୍ତାନ ।

ନଳୀନାକ୍ଷ ରାମକୃଷ୍ଣ ଜଗନ୍ନାଥ

ରାଜା ବାହାଦୁର ଗଣ || 


ବାଳକେଶ୍ୱର ସିଂ-ନାରାୟଣ ଦେଓ-

ମର୍ଦ୍ଦରାଜ ହରିହର । 

ପ୍ରତାପୀ ଓ ବାହାଦୁର ରାମଚନ୍ଦ୍ର

ପୂର୍ଣ୍ଣଚନ୍ଦ୍ର ମହାବୀର ।। 


ମର୍ଦ୍ଦରାଜ ବଂଶ ଅନ୍ତିମ ପ୍ରଦୀପ 

ଯୁବରାଜ ପୂର୍ଣ୍ଣଚନ୍ଦ୍ର ।

ଅକାଳ ବିୟୋଗେ ବିଦାୟ ହୋଇଲେ

ଲୁପ୍ତ କରି ରାଜତନ୍ତ୍ର ।।


ରାଜକୁଳ ଲକ୍ଷ୍ମୀ ସୁଜ୍ଞାନ କୁମାରୀ

ହୋଇଲେ ରାଣୀସାହେବା । 

ଗଣତନ୍ତ୍ରର ପୂଜାରିଣୀ ରୂପେ 

କରିଲେ ମାନବ ସେବା । ।


ନାରାୟଣଙ୍କର ସୁଯୋଗ୍ୟ ସନ୍ତାନ 

ଅଟନ୍ତି ଯେ ହରିହର । 

ହରିହରଙ୍କର ସନ୍ତାନ ରତ୍ନ ଯେ 

ସ୍ୱୟଂ ରାମଚନ୍ଦ୍ର ବୀର ।। 


ଉନବିଂଶ ଶତ ତେର-ଜାନୁୟାରୀ 

ଜନ୍ମ ହେଲେ ଶୁଭକ୍ଷଣେ ।

ଅଂଶୁମାଳୀ ସମ ଥିଲେ ତେଜିୟାନ 

ନିପୁଣ ସେ ସର୍ବଜ୍ଞାନେ | |


ବୀରତ୍ୱପଣରେ ଅପ୍ରତିଦ୍ୱନ୍ଦ୍ୱୀ ସେ 

ନିଷ୍ଠା ଓ ଆଦର୍ଶବାନ ।

ପ୍ରଚଣ୍ଡ ଶକ୍ତିର ଥିଲେ ଅଧିକାରୀ

ବୁଦ୍ଧିରେ ସେ ବିଚକ୍ଷଣ ।।


ଯୁବରାଜ ରୂପେ ହୋଇ ଅଧିଷ୍ଠିତ 

ରାମଚନ୍ଦ୍ର ମର୍ଦ୍ଦରାଜ । 

ରାଜକାର୍ଯ୍ୟ ସହ ପ୍ରଜାଙ୍କ ସେବାରେ 

କଲେ ଜନହିତ କାର୍ଯ୍ୟ ।।


ଅଷ୍ଟାଦଶ ବର୍ଷ ଯୁବ ରାମଚନ୍ଦ୍ର

ହୋଇଲେ ପାଣିଗୃହୀତ ।

ଷଢେଇକଳାର ଦେବୀ ରାଜଜେମା

ଚନ୍ଦ୍ରପ୍ରିୟାଙ୍କ ସହିତ ।।


ଦୃଢ ଦାବିବଳେ ଊନବିଂଶ ଶତ 

ଏକୋଇଶ ମସିହାରେ ।

ବ୍ରିଟିଶଙ୍କ ଠାରୁ ଇଷ୍ଟେଟ ଗ୍ରହଣ

କରିଥିଲେ ସୁଚତୁରେ ।।


ଦ୍ବାବିଂଶତିରେ ମାଡ୍ରାସଷ୍ଟେଟ୍ ର ସଭ୍ୟ 

ହୋଇଥିଲ କାଉନ୍ସିଲର୍ ।

ଉତ୍କଳର ମାନ ମହତ ରଖିଲ

ରାଜା ରାମଚନ୍ଦ୍ର ବୀର ।।


ଆଠାଇଶ ସାଲେ ରମ୍ଭା ପ୍ରାସାଦରେ

ଆତିଥ୍ୟ ଦେଇ ଗାନ୍ଧୀଙ୍କୁ ।

ଗାନ୍ଧୀଜୀ ସମେତ କଲ ଆପଣାର 

ସମ୍ମାନ କରି ସଭିଙ୍କୁ ।।


ଶୁଭ ଲଗ୍ନ ତବ ଔରସୁ ସମ୍ଭୂତ 

ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ।

ପୂର୍ଣ୍ଣଚନ୍ଦ୍ର ସମ ଜ୍ୟୋତି ପ୍ରକାଶିଣ 

ହୋଇଗଲେ ଯୁବରାଜ ।।


ଉନବିଂଶ ଶତ ବତିଶ ସାଲରେ 

ଗୋଲ ଟେବୁଲ୍ ସଭାରେ ।

ଯୋଗଦାନ କରି ରାଜା ରାମଚନ୍ଦ୍ର

ଲଢିଲେ ରାଜ୍ୟ ସ୍ବାର୍ଥରେ ।।


ଲଣ୍ଡନସ୍ଥ ଜଏଣ୍ଟ୍ ପାର୍ଲିଆମେଣ୍ଟାରୀ 

ବୈଠକରେ ତଥ୍ୟ ପ୍ରଦାନ |

ଏ ମାଟି ମାଆର ଶ୍ରେଷ୍ଠ ବରପୁତ୍ର

ରଖିଲ ଉତ୍କଳ ମାନ ।।


ଓଡ଼ିଶାର ଉପଦେଷ୍ଟା ପରିଷଦ 

ସଭ୍ୟ ରୂପେ ମନୋନୀତ । 

ବିଧାନ ସଭାର ପୁଣି ହେଲ ସଭ୍ୟ 

କରିଣ ମହତ କାର୍ଯ୍ୟ ||


ସଭ୍ୟ ରୂପେ ପୁନଃ ହେଲ ବିବେଚିତ 

କେନ୍ଦ୍ରୀୟ ଆସେମ୍ବ୍ଳି ଠାରେ

ଓଡିଶା ପକ୍ଷରୁ ହୋଇ ପ୍ରତିନିଧି

ଜାତୀୟ ନିରିପତ୍ତାରେ


ବିଧାନ ସଭାର ନିର୍ବାଚିତ ସଭ୍ୟ 

ଉନବିଂଶ ବାଉନରେ ।

ଓଡିଆ ଜାତିର ଗର୍ବ ଗୌରବ 

ତୁମେ ଥିଲ ବାସ୍ତବରେ ||


ସତାବନ ସାଲେ ହେଲ କେନ୍ଦ୍ରମନ୍ତ୍ରୀ 

ହେ ବୀରକେଶରୀ ରାମ ! 

ରାଜ୍ୟ ସମବାୟ ବ୍ୟାଙ୍କର୍ ସଭାପତି 

ହୋଇ ରଖିଲ ସୁନାମ ||


ପୁନଃ ସଭ୍ୟହୋଇ ବିଧାନସଭାରେ 

ଏକଷଠୀ ମସିହାରେ ।

ରାଜ୍ୟ ପ୍ରଗତିରେ ସହାୟକ ହୋଇ 

ଯଶ ଅର୍ଜିଲ ମହୀରେ ||


ଉତ୍କଳର ସୂର୍ଯ୍ୟ ଚିର ଅସ୍ତମିତ 

ହୋଇଗଲ ଏ ଧରାରେ ।

ଗଞ୍ଜାମ ମାଟିର ଏ ମହାମାନବ

ମିଶିଲେ ପରମାତ୍ମାରେ ।।


ଉନବିଂଶ ଶତ ତେଷଠୀ ସାଲର 

ଜାନୁୟାରୀ ତେଇଶିରେ ।

ଚିରକାଳ ଲାଗି ହୋଇଲ ଅମର 

ମହାକାଳ ଇଙ୍ଗିତରେ ।।


ଧନ୍ୟ-ଧନ୍ୟ ତୁମେ ହେ ମହାନାୟକ ! 

ତୁମର ଯଶ- ପୌରୁଷ ।

ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ 

ହୋଇଲ ଚିର ନମସ୍ୟ। ।।


ପ୍ରାତଃସ୍ମରଣୀୟ ଚିର ବନ୍ଦନୀୟ  

ପୁଣ୍ୟଶ୍ଳୋକ-ରାମଚନ୍ଦ୍ର ! 

କୃତାଞ୍ଜଳି ପୁଟେ ଶତ ପ୍ରଣିପାତ

ଘେନ ଏ ବିପ୍ର ମୁଦ୍ରାର ।।



Rate this content
Log in