ଅଳସୁଆ ହୋଇ ଶୋଇଛ କାହିଁ ?
ଅଳସୁଆ ହୋଇ ଶୋଇଛ କାହିଁ ?
ବିଲୁଆ ନନା,ବିଲୁଆ ନନା
ଅଳସୁଆ ହୋଇ ଶୋଇବା ମନା l
ଅଳସୁଆ ହୋଇ କାହିଁକି ଶୁଅ
ଲୋକେ କଣ ଭାବୁ ଥିବେ ଯେ କୁହ ?
ଯିଏ ଅଳସୁଆ ହୋଇ ରୁହଇ
ତାକୁ ଏ ଦୁନିଆ ଦେଖି ହସଇ l
ତୁମ ବୁଦ୍ଧି ଆଉ ବୟସ ଅଛି
ତଥାପି କାହିଁକି ରହିଛ ବସି ?
ଛାତ୍ର ଅଳସୁଆ ହୋଇଲେ ଜାଣ
ପାଠ ପଢ଼ା ରେ ଯେ ହୋଇବ ଶୂନ l
ତେଣୁ ଗୁରୁ ସଦା ବେଳେ କହନ୍ତି
ଅଳସୁଆ ସଦା ଦୁଃଖ ପାଆନ୍ତି l
ଯିଏ ନିତି କରଇ ପରିଶ୍ରମ
ଜୀବନ ତାହାର ସଦା ଉତ୍ତମ l
ରାଜା ସିଂହ ଯଦି ରହିବ ଶୋଇ
ଖାଦ୍ୟ ନ ପାଇ କି ମରିବ ସେହି l
ଛୋଟିଆ ଜୀବଟି ପିମ୍ପୁଡି ଦେଖ
କାର୍ଯ୍ୟ କରିବାଟା ତା ଠାରୁ ଶିଖ l
ସ୍ୱାସ୍ଥ୍ୟ ଆଉ ମନ ଭଲ ତାହାର
ଶ୍ରମଭ୍ୟାସ ନିତ୍ୟ ଅଟେ ଯାହାର l
ଚତୁର ପଣ ରେ ବିଲୁଆ ନନା
ବଣ ରାଇଜରେ ଏକା ହିଁ ଗଣା l
ସୁରୁଜ ପୂର୍ବରେ ରେ ଉଦୟ ହେଲେ
ଅଳସୁଆ ଆଉ ନ ହୁଅ ତିଳେ l
ଶୁଣିଣ ଏ କଥା ବିଲୁଆ ନନା
କହିଲା ପଛକୁ ଜମା ନ ଅନା l
ଥରେ କିଆବୁଦା ଲାଗିଲା ନିଆଁ
ମୁହିଁ ଦେଖୁଥିଲି ହୋଇଣ ଠିଆ l
ସାଇକେଲ ଚଢ଼ି ସେଇଠୁ ଗଲି
ଡାକଘରେ ଯାଇ ପହଞ୍ଚି ଗଲି l
ଦୂରଭାଷ ଯନ୍ତ୍ର ସେଇଠି ଅଛି
ଖବର ଦେବାକୁ ଗଲି ମୁଁ ପଶି l
ଦମକଳ ବାହିନୀ ସଙ୍ଗତରେ
ଖବର ଦେଲି ମୁଁ ୟା ବିଷୟ ରେ l
ଆସି ଦମକଳ ଜଙ୍ଗଲେ ଠିଆ
ନିଆଁ ଲିଭିଗଲା କି ଖୁସି ଆହା l
ରାଜା ବାଘ ମୋତେ ହୋଇଣ ଖୁସି
ପୁରସ୍କାର ଦେଲେ ସ୍ନେହ ପରଶି l
ପାଇ ପୁରସ୍କାର ନ କଲି କାମ
ହେଲା ଅଳସୁଆ ମୋହରି ନାମ l
ତୁମ କଥା ଆଜି ଶୁଣିଲି ମୁହିଁ
ଚତୁର ମୋ ପରି ନାହାନ୍ତି କେହି l
ଏବେଠୁ କରିବି ମୁଁ ପରିଶ୍ରମ
ତୁଟିଗଲା ମୋର ସକଳ ଭ୍ରମ l
ପ୍ରକୃତ ଆନନ୍ଦ ଶ୍ରମ ରେ ଅଛି
ପରିଶ୍ରମୀ ଏହି କଥା ଜାଣିଛି l
ବାଳକ ବାଳିକା ମୋ କଥା ଶୁଣ
ପରିଶ୍ରମ ନିଜ ଜୀବନେ ଆଣ l
ପାଠ ପଢ଼ି ଭଲ ମଣିଷ ହେବା
ଦେଶ ଜାତି ପାଇଁ କାମ କରିବା l
ହେବା ଅଳସୁଆ ନାହିଁ ଟି କେବେ
ଏଇ ଶପଥ ନେବାଠୁ ଏବେ l
