ଅକୁହା କଥା
ଅକୁହା କଥା
ଅକୁହା କଥାଟି ମନର ଭିତରେ
ସଦାବେଳେ ରହିଥାଏ ।
କାହାରି ଆଗରେ ସେ କଥା ଗୋଟିକ
କେବେହେଲେ କହି ନୋହେ ।୧।
ସାତତାଳ ପଙ୍କ ଭେଦ କରି ସିନା
ପଦୁଅଁ ଫୁଟେ ପାଣିରେ ।
ଯେତେ ଭାବିଲେ ବି ଅକୁହା କଥାଟି
କେବେ ବି କହି ନପାରେ ।୨।
ପେଟର ଭିତରେ ଅକୁହା କଥାଟି
ରହି ଗୁଡୁ ଗୁଡୁ ହୁଏ ।
କାହାକୁ କହିବ କେମିତି କହିବ
ଭାବି ଭାବି ମନେ ରହେ ।୩।
କେଉଁ ପ୍ରସଙ୍ଗରେ ଅକୁହା କଥାଟି
ମନେ ଯଦି ଆସିଯାଏ ।
ମନ ବାଆଁରେଇ ଚାଆଁରେଇ ହୋଇ
ତହିଁରୁ ଦୂରେଇ ଯାଏ।୪।
ଅଜାଗା ଘାଆକୁ ଦେଖି ହୁଏ ନାହିଁ
ଦେଖେଇ ବି ହୁଏ ନାହିଁ ।
ଅକୁହା କଥାଟି ଠିକ୍ ସେହିପରି
କେହି କହିପାରେ ନାହିଁ ।୫।
ସଭିଙ୍କ ମନରେ ଅକୁହା କଥାଟି
ବସା ବାନ୍ଧି ଥାଏ ରହି ।
ଯେଉଁଠି ରହିଛି ଅକୁହା କଥାଟି
ସେହିଠାରେ ଥାଏ ରହି ।୬।
ଆଜି କଥା ସିନା କାଲିକି ନଥାଏ
ମନରେ ଅକୁହା କଥା ।
ଘର କରି ନିଜେ ରହି ଯାଇଥାଏ
ମିଛ କେବେ ନୁହଇ ତା ।୭
କାହାରି ଆଗରେ ଅକୁହା କଥାଟି
ଯଦି ତୁମେ କହି ଦେବ ।
ପେଟ ଗୁଡୁ ଗୁଡୁ ନିଶ୍ଚେ କମିଯିବ
ମନ ହାଲୁକା ହୋଇବ।୮।
କା ଆଗରେ ଯଦି ଅକୁହା କଥାଟି
କେବେ କହି ନ ପାରିବ ।
ଯାହାକୁ ଭରସା କରୁଛ ତାହାଙ୍କୁ
ନିଶ୍ଚୟ ତାହା କହିବ ।୯।
