STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଅକୁହା କଥା

ଅକୁହା କଥା

1 min
198

କିଛି କଥା ରହିଯାଏ ଅପ୍ରକାଶ୍ୟ ହୋଇ 

ବନ୍ଦୀ ଜିହ୍ଵାଗ୍ରରେ,

ନିରବେ ସଞ୍ଚରି ଯାଏ ଭାବନା ତରଙ୍ଗ ଯେତେ 

ଅନ୍ତରୁ ଅନ୍ତରେ।


ଅବୁଝା ରହିଯାଏ ମନ ତଳ ବ୍ୟଥା ଯେତେ 

ଅଜ୍ଞାତବାସରେ,

ଜୀବନର ଜଉଘରେ ଜଳିଯାଏ ହୃଦୟଟା 

ଅଚିହ୍ନା ସହରେ।


ଅଧାଗଢ଼ା ଯୋଜନା ଓ ଅଧାବୁଝା ଭାବନାରେ 

ପଥ ଯାଏ ହଜି,

ଘନ ମରୀଚିକା ଗର୍ଭେ ଲୁପ୍ତ ହୁଏ ଆଦର୍ଶର 

ସଂଗୃହିତ ମଞ୍ଜି। 


ଘଟଣାର ଅନ୍ତରାଳେ ଲୁଚିଯାଏ ବହୁ ସ୍ମୃତି 

ବିସ୍ମୃତି ଗହ୍ୱରେ,

ଅଧାଗଢ଼ା ସ୍ମୃତି ସବୁ କଡ଼ ଲେଉଟାନ୍ତି ଜୀବନର 

ଅଧୁରା ପୃଷ୍ଠାରେ।


ସ୍ୱପ୍ନ କିନ୍ତୁ ମରେନାହିଁ ଚେତନାର ସ୍ଥିତପ୍ରଜ୍ଞ 

ଧ୍ୟାନସ୍ଥ ମୁଦ୍ରାରେ,

ଅଧା ସ୍ମୃତି ଚେଇଉଠେ ବେଳେବେଳେ 

ଜୀବନର ନିଦ୍ରିତ ପୃଷ୍ଠାରେ। 


ଅକୁହା ଅନେକ କଥା କହିବାକୁ ବହୁବାର

ପ୍ରୟାସ ଶେଷରେ,

ଗୋପନ ସେ ଗୁପ୍ତ କଥା କହି ହୋଇଯାଏ ଦିନେ

ଆତ୍ମୀୟ ପାଖରେ। 


କିଛି ବୋଝ ଅବସାଦ ଓଦା ଗଳ୍ପମାଳା ଯେବେ

ଅନ୍ତରୁ ପ୍ରକାଶେ,

ଗାଲ ପରେ ବହିଗଲେ ଦୁଇଧାର ଉଷ୍ମ ଅଶ୍ରୁଧାର

ଓଦାଆଖି ହସେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍