ଅକଳ୍ପନୀୟ ବିଶ୍ୱେଶ୍ୱର
ଅକଳ୍ପନୀୟ ବିଶ୍ୱେଶ୍ୱର
ଅକଳ୍ପନୀୟ ମହିମା ପ୍ରଭୁ ବିଶ୍ୱେଶ୍ୱର
ଅନନ୍ତ ଅବ୍ୟକ୍ତ ଅବା ମାନସଗୋଚର |
ଅଶେଷ ବ୍ରହ୍ମାଣ୍ଡ ମାଳମାଳ ଯା' ଉଦର
ଅଣୁ ଅନ୍ତରୀକ୍ଷ ବ୍ୟାପ୍ତ ବିଶ୍ୱ ଚରାଚର |
ଅତୀନ୍ଦ୍ରିୟ ସର୍ବଘଟ ବିହାରୀ ଈଶ୍ୱର
ଅଜ ନିତ୍ୟ ସନାତନ ସର୍ବ ଶକ୍ତିଧର |
ଅବିରତ ରଚ ସୃଷ୍ଟି ପାଳନ ସଂହାର
ଅଭାବକୁ ଦୂର ତୁମେ ଭାବକୁ ପାଶର |
ଅକୂପାର କୃପା କର ହେ କ୍ଷମା ବାରିଧର
ଅକାତରେ ଚଉବର୍ଗ ଭୂତି ଦାନ କର |
ଅନନ୍ତ ଅଙ୍କବିହାରୀ କ୍ଷୀରାର୍ଣ୍ଣବ ଘର
ଅମ୍ବୁଧି ତନୟା ରମା ଖଟନ୍ତି ପୟର |
ଅବିରତ ବାଣୀ ବୀଣା ଵାଦନେ ତତ୍ପର
ଅମର ଅମରୀ ସ୍ତୁତି ରତ ନିରନ୍ତର |
ଅତୁଳିତ ବଳଧାମା ହନୁ ଖଗବର
ଅବ୍ଜପଦେ ଧ୍ୟାନରତ ଥାନ୍ତି ଯୋଡ଼ି କର |
ଅସାର ସଂସାର ତ୍ୟାଗୀ ଯୋଗୀ ମୁନିବର
ଅଗମ୍ୟ ଅରଣ୍ୟେ ତପ ରତ ନିରନ୍ତର |
ଅଚଳ ନୀଳକନ୍ଦରେ ବିଶ୍ୱକଳାକାର
ଅକହାରୀ କଳିଯୁଗେ କରୁଛ ବିହାର |
ଅନ୍ତ ନପାନ୍ତି ଯାହାର ଧାତା ଇନ୍ଦ୍ର ହର
ଅନ୍ତର୍ଯ୍ୟାମୀ ବ୍ରହ୍ମଦାରୁ ବିଶ୍ୱ ଆର୍ତ୍ତ ହର |
ଅତି କ୍ଷୁଦ୍ର ପିଣ୍ଡେ ମୋର ଅଛ ଅଣାକାର
ଅରପୁଛି ତନୁ ମନ ପ୍ରାଣ ବିଶ୍ଵାଧାର |
ଅପାର ମାୟା ସଂସାରୁ ହରି ପାରିକର
ଅକିଞ୍ଚନର ଶରଣ ରଖ ମାୟାଧର |
