ଅଜା ଓ ମାଙ୍କଡ
ଅଜା ଓ ମାଙ୍କଡ
ବଇଶାଖ ମାସ ଭାରି ଗୁଳୁଗୁଳି
ଅଜା ଶୋଇଥିଲେ ତୋଟାରେ,
ପାନ ଖାଉଥିଲେ ପାକୁଆ ପାଟିରେ
ବଟୁଆଟି ଥିଲା ପାଖରେ ।
ପାଖେ ରଖିଥିଲେ ବଙ୍କୁଲି ବାଡିଟି
ଟୋପି ଥିଲା ମୁଣ୍ଡ ଉପରେ,
ଆମ୍ବଗଛ ଡାଳେ ପାତି ମାଙ୍କଡଟା
ଦେଖୁଥିଲା ସବୁ ମଜାରେ ।
ଥଣ୍ଡା ପବନରେ ଲାଗିଗଲା ନିଦ
ଅଜା ତ ମାରିଲେ ଘୁଙ୍ଗୁଡି,
ଧୀରେ ଓହ୍ଲାଇଲା ଗଛରୁ ମାଙ୍କଡ
ନେଇଗଲା ବଙ୍କୁଲି ବାଡି ।
ଖେଁ ଖେଁ ହୋଇ ହସିଦେଇ ଥରେ
ଚାହିଁଦେଲା ଚାରି କଡକୁ,
ମୁଣ୍ଡରେ ଯତନେ ପିନ୍ଧିଲା ଟୋପିଟି
ଚଢିଗଲା ଗଛ ଡାଳକୁ।
ଦୂରେଥାଇ କୁନା ସବୁ ଦେଖୁଥିଲା
ମାରିଲା ଟେକାଟା ଗଛକୁ,
ଗଛରୁ ପଡିଲା ଆମ୍ବଟିଏ ଖସି
ଅଜାଙ୍କ ଥନ୍ତଲ ପେଟକୁ ।
ଚାଇଁକରି ନିଦ ଭାଙ୍ଗିଲା ଅଜାଙ୍କ
ଧଡପଡ ଉଠି ପଡିଲେ,
ରାଗେ ତମତମ ଗରଜନ କରି
ବାଡିଟିକୁ କେତେ ଖୋଜିଲେ ।
ଦେଖିଲେ ମାଙ୍କଡ ଗଛରେ ବସଛି
ଧରିଛି ବଙ୍କୁଲି ବାଡିଟି,
ଯତନେ ଟୋପିଟି ପିନ୍ଧିଛି ହରଷେ
ଡେଉଁଛି ଡାଳରୁ ଡାଳଟି ।
ଅଜା ପାଟି କଲେ ଆରେ କୁନା କୁନି
ଧାଇଁ ଆସ ଧାଇଁ ଆସରେ,
ଦୁଷ୍ଟ ମାଙ୍କଡଟା ଗଛରେ ବସିଛି
ତଡି ଦିଅ ତଡି ଦିଅରେ ।
----------------
ଶରତ କୁମାର ଦାସ
