ଅଗ୍ନି
ଅଗ୍ନି
ପେଟର ଭୋକ ହେଲେ
କ୍ଷୁଧାର ଅଗ୍ନି ଜଳେ,
ଦେହର ଭୋକରେ
କାମନାର ଅଗ୍ନି ଜଳେ,
ଦେହ ଓ ମନ ଜଳିଗଲେ
ଭୋକର ନିଆଁ ଲିଭିଯାଏ ।
ଦୀପଟିଏ ସିନା ଦିକଦିକ ଜଳେ
ପବନର ଇନ୍ଧନରେ
ନିଆଁ ହୁତୁହୁତୁ ଜଳେ,
ଅଗ୍ନିର ଦାହିକା ଶକ୍ତି ଅଛି
ସବୁକିଛି ଜାଳିଦିଏ ।
ଈର୍ଷା ଆଉ ଘୃଣାର ଜ୍ୱଳନରେ
ମାନବିକତା ଜଳିଯାଉଛି
ସଳିତାପରି ମଣିଷ ଭିତରେ ।
ଚାରିଆଡେ ପ୍ରଦୂଷଣ ନିଆଁ
ଫୁଟୁଅଛି ନିଆଁର ବୋମା
ଫୁଟୁନାହିଁ ଫୁଲ ବଗିଚାରେ ।
ନାରୀଟିଏ ଦେବୀଟିଏ
ସେ ଜୀବନ ଦାୟିନୀ
ସେ ବିଜୁଳି କନ୍ୟା
କାତ୍ୟାୟନୀ କୁହାଯାଏ ଏଠି,
ପେଟ୍ରୋଲର ଜ୍ୱଳନରେ
ଜଳେ ବି ଦାରୁ ପରି ଏଠି ।
ଇତିହାସ ବି ସାକ୍ଷୀ ଅଛି
ନାରୀର ଆଖିର ନିଆଁରେ
ଅନେକ ସମାଜ ଜଳିଛି ।
ଅଗ୍ନିରେ ଘୃତ ଜଳେ ଯେମିତି
ରାଜନୀତିର ନିଆଁରେ ଜଳୁଛି
ଜାତି ଆଉ ଧର୍ମ ସେମିତି,
ଦେହକୁ ଜାଳେ ଯୌବନ
ମନରେ ବି ଲଗାଏ ନିଆଁ,
ହୃଦୟ କିନ୍ତୁ ପ୍ରେମରେ ଜଳେ
କରିବାକୁ ଜଣଙ୍କୁ କିମିଆଁ ।
ଜ୍ୱଳନର ଶକ୍ତି ଅଛି ବୋଲି
ସବୁକିଛି ଜାଳିଦିଏ ଅଗ୍ନି
ଶେଷରେ ମଶାଣିରେ ଜାଳିଦିଏ
ଜୀବନର ଦାରୁ,
ବ୍ରହ୍ମ ତ ସନାତନ ଜଳେ ନାହିଁ
କାମନା ବାସନାର ଦହନରେ
ବ୍ରହ୍ମ ହୁଏ ପରଂବ୍ରହ୍ମ ।