ଅଗ୍ନି ବର୍ଷା
ଅଗ୍ନି ବର୍ଷା
ସେଦିନ ବି ଏମିତି ,
ମେଘ ଆଢୁଆଳେ ,
ଅଝଟ ହୋଇଥିଲା ଇନ୍ଦ୍ରଧନୁ , ତୁମ ପଣତର ରଙ୍ଗ ଦେଖିବାକୁ ।
ତୁମେ ଫୋପାଡୁଥିଲ ଶୂନ୍ୟକୁ , ମୁଠାଏ ଆଲୋକର ଶେଷାଂଶ ।
ମୁଁ ସାଉଁଟୁଥିଲି ସାରା ଆକାଶେ ,
ମୋ ଜୀବନ ଭଗ୍ନାଂଶ ।
ମୁଁ ହାତ ଠାରି ଡାକୁଥିଲି କୁହୁଡି ଭିତରୁ , ଅସୁମାରୀ ସ୍ବପ୍ନକୁ
ତୁମେ ଫେରେଇ ନେଲ , ଆଉ ଏକ ଭିନ୍ନ ତାଳେ , ତୁମ ରଙ୍ଗ ମଖା ପାଦକୁ ।
ନିର୍ମମ ନିଦାଘର ନିର୍ଯ୍ୟାତନାରେ ଜଳୁଥିଲେ ମାଟି , ପାଣି ପବନ ।
ଆକୁଳେ ବିକଳେ ଚାହିଁ ରହିଥିଲେ ବର୍ଷାକୁ ।
ତୁମେ ଫେରିଗଲା ପରେ ,
ମନେଇ ପାରିଲିନି ମୁଁ , ଅଭିମାନିନୀ ଶ୍ରାବଣୀକୁ ।
ମିଳନର ଅଭିପ୍ରାୟରେ , ମେଘମାଳାର ପାହାଡକୁ ଡେଇଁ ଡେଇଁ ଆସିଥିଲା ବିଦ୍ୟୁତ ନୟନା ବର୍ଷା ରାଣୀ ।
ଶଙ୍ଖ ମହୁରୀର ତାଳେ ତାଳେ ,
ଝରିଗଲା ମୋ ଅଗଣାରେ , ନିଜକୁ ମୋ ହାତେ ସମର୍ପି ଦେଇ । ।
ମୁଁ ଭିଜୁଥିଲି ଏକା ଏକା ,
ଗୋଟେ ନିଶବ୍ଦ ଧୂମାଚ୍ଛନ୍ନ ରାତିରେ ।
ଗୋଟା ପଣେ ମହକୁଥିଲି ମୁଁ , ତୁମ ପ୍ରୀତିର ବାସ୍ନାରେ ।
ଝରଝର ଶୀତଳ , ସଲିଳ ସ୍ପର୍ଶରେ ଉଲ୍ଲସିତ ହେଲା ଏ ଧରା ।
ଜୀବନ୍ତ ହେଲେ ପଶୁପକ୍ଷୀ , ବୃକ୍ଷ ଲତା ।
ସବୁଠି କୋହଲା ପବନ ।
ଲିଭିଯାଉଥିଲା ସଂଜବତୀ ।
ଓଦା ହେଇଯାଉଥିଲା ପାଦ ତଳର ମାଟି ।
ହେଲେ ଜଳି ଯାଉଥିଲା ନୀଳ ଆକାଶ ।
ପୋଡି ଯାଉଥିଲା ମୋ ହୃଦୟ ।
ନିଆଁ ଲାଗୁଥିଲା ମୋ ରକ୍ତରେ ।
କୁହୁଳି ଉଠିଥିଲା ଜୁଇର ନିଆଁ ।
ଅଙ୍ଗାର ପାଲଟିଗଲା ମୋ ପ୍ରେମର ପରିଭାଷା ।