STORYMIRROR

Prasanna Kumar Madala

Others

2  

Prasanna Kumar Madala

Others

ଅଧୁରା ସପନ

ଅଧୁରା ସପନ

1 min
5K


ଅଧୁରା ସପନ


ସହିଲି କାକର ରାତିକ ଯାକର

ନପାରିଲି ଆଉ ଶୋଇ

ଭାଙ୍ଗିଲା ସପନ ଦେଖିଲି ଦର୍ପଣ

ଶୀତରେ ଆତୁର ହୋଇ।

ସପନ ଅଧୁରା ଫିଟିଲା ସିନ୍ଦୂରା

ଦିଶୁନାହିଁ ତାରା ଏକ

ପୂରୁବ ଆକାଶେ ସୂରୁଯ ପ୍ରକାଶେ

ପାରୁଅଛ ଯଦି ଦେଖ ।

ନବ ଅଭିସାରେ ଆସିଛ କି ଦ୍ବାରେ

କହୁଅଛ ଖୋଲ ଖୋଲ

ଉନ୍ମୁକ୍ତ କେଶରେ ପ୍ରୀତି ଆବେଶରେ

କରିବ ଏକ୍ଷଣି କୋଳ ।

ଯେଣୁ ମୋର ବକ୍ଷେ ଦଂଶିଗଲ ଦକ୍ଷେ

ସପନରେ କରି ବଶ

ଆସି ମୋ ସଦନେ ଉନ୍ମାଦ ବଦନେ

ଆଙ୍କି ଯାଅ ଧାରେ ହସ ।

ସତେ କି ହରଷେ ମଧୁର ପରଶେ

ଆଲିଙ୍ଗନେ ନେବ ରଖି

ଆବେଶେ ଅଧୀର ମୁଁ ଏବେ ବଧିର

ଜାଣି ପାରୁନାହିଁ ସଖୀ ।

ଫିଟାଇ କବାଟ ଦେଖେ ଯେତେ ବାଟ

ଦେଖା ତ ନଦେଲ ପ୍ରିୟା

ଗଲା ବିଭାବରୀ କେତେ ଆଶା ଭରି

ଅଥୟ ଥିଲା ମୋ ହିୟା ।

ରହିଛ କି ଘୁଞ୍ଚି ଆଢୁଆଳେ ଲୁଚି

ଅଭିମାନେ ଜାଣି ଜାଣି

ହେଲି ଅବିବେକୀ ନଦେଖି ଏବେକି

ଅପରୂପା ତୁମ ଠାଣି ।

ଆଜିର ଶୀତରେ ଆସି ଏ ଭିତରେ

କର ଗୋ ପୀୟୂଷ ଦାନ

ଯୁଗଳ ଛନ୍ଦରେ ମୋ ହୃଦ କନ୍ଦରେ

ରହିନାହିଁ କେହି ଆନ ।

ଭାବିଥିଲି ଧରା ହେବ ରଙ୍ଗଭରା

ତା ମଧ୍ୟେ ମୁଁ ଭାଗ୍ୟଶାଳୀ

କରିଲେ ଇଙ୍ଗିତ ପ୍ରଣୟ ସଙ୍ଗୀତ

ଗାଉଥିବ ସାଥେ ଚାଲି ।

ରୂପ ଉପବନେ ମଳୟ ପବନେ

ବିହରିବି ହାତ ଧରି

ସ୍ବପ୍ନ ସତ ମୋର ନହେଲେ ଏ ଘୋର

ଅକାଳେ ହିଁ ଯିବି ମରି ।


ପ୍ରସନ୍ନ କୁମାର ମାଦଳା



Rate this content
Log in