ଅଚିନ୍ହା ମଣିଷ ହୁଅନ୍ତି ନିଜର
ଅଚିନ୍ହା ମଣିଷ ହୁଅନ୍ତି ନିଜର
ତୁମରି ସ୍ନେହରେ ବହିତ ନଥିଲା
ମୋ ଆଖିର ଏହି ଲୁହ,
ଯେତେ ରୋକିଲେବି ଆଜି ରୋକିବନି
ଭାରି ଅମାନିଆ ଲୁହ l
ଝିଅ ମାନେ କିମ୍ପା ନିଅନ୍ତି ବିଦାୟ
ସେହି ଅଜଣା ରାଜ୍ୟକୁ,
ବାପାମାଆ ପରି କିଏ ଦେବ ସ୍ନେହ
ପୋଛିଦେବ ତାଙ୍କ ଲୁହକୁ l
ଏ ଦୁନିଆର କେଉଁ ରୀତି ଅଟେ
ଝିଅ ହୋଇଯାଏ ପର,
କେମିତି ଭୁଲିବେ ଜନ୍ମିତ ଘରୁ
ସ୍ନେହ ମମତାର ଡୋର l
ବାପାମାଆ ମାନେ ଭୁଲନ୍ତିନି କେବେ
ଗେଲ୍ହା ଝିଅ ମାନଙ୍କୁ,
ଦିଅନ୍ତି କିଆଁ ଅଜଣା ହାତରେ
ରୋକି ପାରୁନି ମୋ କୋହକୁ l
ଭାଇ ଭଉଣୀ ପ୍ରାଣଠାରୁ ବଡ
ତାଙ୍କ ସ୍ନେହ ଝୁରୁ ଥାନ୍ତି,
କେତେ ଯେ ଝଗଡା ଖେଳ ମଜା କଥା
ନିତି ମନେ ପକାନ୍ତି l
ବାପଘର ଗେଲ ସବୁ ସରିଯାଏ
ଶାଶୁ ଘର ଗଲାପରେ,
ଅଚିନ୍ହା ମଣିଷ ହୁଅନ୍ତି ନିଜର
ଅଦଭୂତ ନିୟମ ଠାରେ l
ଶାଶୁ ଶ୍ୱଶୁରଙ୍କୁ ବାବା ବଉ ଡାକି
ଘରକୁ ସ୍ୱର୍ଗ କରନ୍ତି ,
ଭକ୍ତି ସ୍ନେହ ଶ୍ରଦ୍ଧା ଭରି ଦେଇକରି
ସୁନାମ ଅର୍ଜିଥାନ୍ତି l
ଦୁହିତା ଜନମ ସାର୍ଥକ କରନ୍ତି
ଶାଶୁଘର ଯାଇକରି,
ଘର ସନମାନ ବଜାୟ ରଖନ୍ତି
ସୁଖ ଶାନ୍ତି ଦେଇକରି l
କାନ୍ଦିକାନ୍ଦି କରି ନିଅନ୍ତି ବିଦାୟ
ଚକ୍ଷୁରେ ଲୋତକ ଭରି,
ପରମ୍ପରାକୁ ଝିଅହିଁ ଲିଭାଏ
ଘରକୁ ସ୍ୱର୍ଗ କରି l