ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ଅନ୍ତର ବେଦନା ମର୍ମଭେଦି ବାଣ
ଆଣଇ ଅବ୍ୟକ୍ତ କୋହ
ଯାହାକୁ ବ୍ୟକ୍ତ କରି ନୁହେଁ କେବେ ବି
ଆଖି ପିଇଯାଏ ଲୁହ।
ମନ ବୁଦ୍ଧି ଜ୍ଞାନ ହଜିଯାଏ ସବୁ
ମନରେ ଯନ୍ତ୍ରଣା ଦିଏ
ଜରା ବ୍ୟାଧି ଗ୍ରସ୍ତ ହୁଅଇ ଶରୀର
ଜାଣି ନ ପାରଇ ସିଏ।
ତଥାପି ଅବ୍ୟକ୍ତ ହୋଇ ରହିଯାଏ
ହୃଦୟ ବିଦାରି ହୁଏ
କିପରି ସହିବ ଦୁଃଖୀ ମଣିଷଟି
ଯନ୍ତ୍ରଣାସିକ୍ତ ତ ସିଏ।
କହୁ ବା ନ କହୁ ଜାଣିଥାଉ ତୁହି
କାଳିଆ ଠାକୁର ଆହେ
ଆଶ୍ୱାସନା ଦେଇ ଦୁଃଖକୁ ତାହାର
ଦୁରେଇ ଦେବାକୁ ବହେ।
ଇଚ୍ଛା ହୁଏନାହିଁ ତୋହର ଠାକୁର
ସଂସାର କରତା ହୋଇ
ସହି ସହି ଦୁଃଖ ମାନସିକ ରୋଗୀ
ସତେକି ହୁଅଇ ସେଇ।
ଏପରି ହୋଇଲେ କାଳିଆରେ ତତେ
କିଏ ବା ପୂଜିବ କହ
ସତ୍ତାହୀନ ବୋଲି ଘୋଷିବ ଜଗତ
ଦିନ ଆସିବଟି ରହ।