ଅବୁଝା ମନ
ଅବୁଝା ମନ
ରେ ଅର୍ଥ ପିପାସୁ ମନ ,
ଧାଇଁଛୁ ତୁ ଅବିରତ , ନାହିଁ ତୋ ବିଶ୍ରାମ ,
ହୋଇନୁ କି ତୁ ଯେ କ୍ଲାନ୍ତ ?
ରହି ଯା କ୍ଷଣେ, ରେ ପାଗଳା ମନ ।
ଜାଣିଛୁ, ବୁଝିଛୁ ନିଶ୍ଚୟ ,
ଆସିଥିଲୁ ଏକା , ଯିବୁ ତୁ ଏକା ,
ଯିବେ ନାହିଁ କେହି ସାଥେ ତୋର ,
ଆତ୍ମୀୟ ସ୍ବଜନ, ବନ୍ଧୁ ପରିଜନ ,
ଗଲେଣି ଦୂରେଇ ସଭିଏଁ , ତୋ ଠାରୁ ଦୂର ,ବହୁ ଦୂର ।
ସ୍ବାର୍ଥ, ଲୋଭେ ହୋଇ ତୁ ଅନ୍ଧ,
ବାଛି ନେଇଛୁ ଯେଉଁ ପଥ ,
ସେ ପଥେ ଚାଲିଛୁ ତୁ ଏକା ଏକା,
ନାହିଁ କେହି ସାଥେ ତୋର ।
ବୁଝି କି ପାରୁନୁ , ରେ ବାଇଆ ମନ ,
ଜୀବନ ର ପଥ ଯେ ଅଟଇ ଦୁର୍ଗମ ,
ମାୟା ମରୀଚିକା ଯେ ଅଟେ ସେଇ ପଥ,
ତଥାପି କରି ସେ ପଥ ଅତିକ୍ରମ ,
ହୋଇନାହୁଁ କିରେ କ୍ଲାନ୍ତ ?.....ରେ ଅବୁଝା ମନ ।