STORYMIRROR

RUKEYA JABEEN

Others

3  

RUKEYA JABEEN

Others

ଅବସର ବେଳାର ଅସ୍ଥିର ଭାବନା

ଅବସର ବେଳାର ଅସ୍ଥିର ଭାବନା

1 min
181

ମେଞ୍ଚାଏ ଅସ୍ଥିର ଭାବନା କୋଳାହଳ ସୃଷ୍ଟି କରିଛି ,

ହୃଦୟର ଦ୍ୱନ୍ଦମୟ ଅଳିନ୍ଦର ଗୋଟିଏ କଣେ,

କିଛି ପାଇବାର ଆନନ୍ଦ କିଛି ହରେଇବାର ଆତ୍ମଗ୍ଳାନୀ,

ସ୍ପନ୍ଦନକୁ ଜାବୁଡି ଧରି ଅଣନିଶ୍ୱାସୀ କରୁଛି ଗୋଟାପଣେ ।


ସମ୍ପୂର୍ଣ୍ଣ ଜୀବନର ଏକ ତୃତୀୟାଂଶ କେମିତି ଯେ କଟିଗଲା,

ଶିକ୍ଷକତାର ବହଳିଆ ସୁନ୍ଦର ଚାଦରଟେ ଘୋଡେଇ ହୋଇ,

ବିତିଗଲା ବର୍ଷ ବର୍ଷ କୋମଳମତୀ ଶିଶୁଙ୍କ ଗହଣରେ,

 ଜ୍ଞାନର ଗନ୍ତାଘରେ ଶିକ୍ଷାର ଆଦାନ ପ୍ରଦାନ ପ୍ରକ୍ରିୟା ଦେଇ।


ମୁଖ୍ୟ ଫାଟକ ଡେଇଁ ବିଦ୍ୟାଳୟ ହତାରେ ପାଦ ରଖିଲେ,

ଗ୍ରୀଲ୍ ସଂଯୋଗରୁ ଭାସିଆସେ ମା' ସରସ୍ୱତୀଙ୍କ ବୀଣା ସ୍ୱର,

ମୁରୁକି ମୁରୁକି ହସୁଥିବା କୃଷ୍ଣଚୂଡାର ନାଲି ନାରଙ୍ଗୀ ଫୁଲ,

ତଥା ସଲାମୀ ଦିଅନ୍ତି ନିତି ଉଡିଯାଉଥିବା ପାରା ଫର ଫର।


ଗଦା ଗଦା ଫାଇଲ୍ ଭିତରେ ଦିନସାରା ମୁଣ୍ଡ ଗୁଞ୍ଜି,

ଅତିରିକ୍ତ ସରକାରୀ କାର୍ଯ୍ୟ ତଳେ ଭାରାକ୍ରାନ୍ତ ହେଲାବେଳେ,

କୁନି କୁନି ହାତର ଜୁହାର ଖନି ଖନି ପାଟିର ଗୁରୁମା' ଡାକ,

ସବୁତକ ଥକ୍କାପଣ ଧୋଇ ଖେଳାଏ ଆତ୍ମସନ୍ତୋଷ ଗୁଡେ।


ହସ ଖେଳ ଅଳି ଅଝଟ କନ୍ଦାକଟା ମାନ ଅଭିମାନ,

ଏସବୁ ଗୋଟିଏ ଯୁଗ ଧରି ଅଭ୍ୟାସରେ ଚାଲିଥିଲା,

ଡଷ୍ଟର ଟେବୁଲ୍ କଳାପଟା ବେତର ନିରବଚ୍ଛିନ୍ନ ବନ୍ଧୁତ୍ୱ

ଶାସନ ଅନୁଶାସନର ଅତୁଳନୀୟ ସମାହାର ସବୁ ବାନ୍ଧି ରଖିଥିଲା ।


ଆଜି ଅବସର ବେଳାରେ ସବୁକିଛି ଆଖି ଆଗେ ଝଲସୁଛି,

ବାର୍ଦ୍ଧକ୍ୟର ସୋପାନେ ପହଞ୍ଚି ଜଞ୍ଜାଳମୁକ୍ତ ହବାକୁ ଯାଉଛି,

ହେଲେ ସତେ କି ଭଲ ଲାଗିବ ଜଞ୍ଜାଳଶୂନ୍ୟ ଏକଲା ଜୀବନ,

ଛୋଟ ଛୋଟ ଛୁଆଙ୍କ ସ୍ନେହରେ ଭରାମନ ନିଜକୁ ପ୍ରଶ୍ନ ପଚାରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍