STORYMIRROR

Lilabati Padhi

Children Stories

3  

Lilabati Padhi

Children Stories

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
120


ଅଭୁଲା ସେ ସ୍ମୃତି ବୋଉକୋଳେ ଯେବେ

ଥିଲି ଛୋଟଛୁଆ ହୋଇ,

ଆଉ କି ପାଇବି ସେ ଅଭୁଲା ଦିନ

ଯାଇଛି ଅତୀତ ହୋଇ l


ଆଉ କି ଫେରିବ ଅପାସୋରା ଦିନ

ବାବାଙ୍କ କାନ୍ଧରେ ବସି,

ଯାତ୍ରା ଦେଖିବାକୁ ସଜବାଜ ହୋଇ

ହଉଥିଲି କେତେ ଖୁସି l


ଭାଇ ଭଉଣୀଙ୍କ ରାମ୍ପୁଡ଼ା କାମୁଡା

ପୁଣି କେତେ ଖୁସି ଗପ,

ବୋଉନିଦ କାଳେ ଭାଙ୍ଗିଯିବ ବୋଲି

କଥାହଉ ଅଳ୍ପ ଅଳ୍ପ l


ସକାଳୁ ସକାଳୁ ଆଖି ମଳି ମଳି

ଟିୟୁସନ ନଯିବା ପାଇଁ,

ପେଟ କାଟିବାର ମିଛ ଅଭିନୟ

କରିବାର ବେଳ ନାହିଁ l


ବଉଳ, ମକର, ଇଟଳା, ଟଗର

ମିଳାମିଶା ଥଟା, ମଜା,

ମେଘବର୍ଷା ହେଲେ ଗୀତ ଗାଉଥିଲୁ

ଉଖୁର ମାଇଲା ଗଜା l


ପଉଷ ଜାଡରେ ସଞ୍ଜ ଓ ସକାଳେ

ଜେଜେମା କୋଳରେ ଧରି,

ତେଲ ମାରି ଆମେ ନିଆଁ ପୂଁ ଥିଲୁ 

ବୋଉ ଦେଲେ ନିଆଁ କରି l


ପୁନିଅଁ ପର୍ବରେ ସାଙ୍ଗସାଥି ହୋଇ

ଫୁଲ ଚୋରି ଯାଇ କରୁ,

ଦେଖିଦବ କିଏ ବାନ୍ଧିକି ପିଟିବ

ତୁଚ୍ଛା ଟାରେ ପୁଣି ଡରୁ l


ସେ ସ୍ମୁତି ନିଆରା ଶୀତୁଆ ଖରାରେ

ମେଳ ହୋଇ କରି ଖାଉ,

ବଉଳ ଗଈଂଥା କେବେ ପୁଣି କେବେ 

ଶୁଖୁଆ ଭଜାକୁ ଜାଉ l


ଖରାଛୁଟି ହେଲେ ବୋଉ ସାଙ୍ଗେ ମିଶି

ଯାଉଥିଲି ମାମୁଁଘର,

ଭୁଲିକି ପାରିବି ସେହିଦିନ ଆଉ

ଗଲାଣି ଯା ବହୁଦୂର l


ଗେଲବସରର ପିଲାଦିନ ମୋର

ସ୍ମୃତି ତାର ଅପାସୋରା,

ଭାବିବାଟା ଖାଲି ତୁଚ୍ଛ ହେବ ସିନା

ଫେରିବନି କେବେ ପରା l




Rate this content
Log in