STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ଅଭିନୟ ତୁମେ,ହେ ମହାନାଟକ

ଅଭିନୟ ତୁମେ,ହେ ମହାନାଟକ

1 min
207


ଅଭିନୟ,ତୁମେ ସତେକି କୁଶଳୀ
ବିଶ୍ୱକର୍ମା,କର୍ମକାର ।
ପୁଲକେ ପୁଲକେ,ପଲକେ ପଲକେ
ରଙ୍ଗକୁ ବେରଙ୍ଗ କର ।

ରଙ୍ଗକୁ ବେରଙ୍ଗ, ବେରଙ୍ଗକୁ ରଙ୍ଗ
ତୁମ ବାମ ହାତ ଖେଳ ।
ରଙ୍ଗ ପରଦାର ଅନ୍ଧ ଆଢୁଆଳେ
କ୍ଷଣିକେ କର ଚହଳ ।

ତୁମ ନାଟକର ଦୃଶ୍ୟରେ ଦୃଶ୍ୟରେ
ଅବର୍ଣ୍ଣ ସେ ଅବତାର ।
ସାଧୁକୁ ଅସାଧୁ ଅସାଧୁ କୁ ସାଧୁ
ଅପଲକେ ତୁମେ କର ।

ଅଗଣିତ ଅଙ୍ଗ ଭିନ୍ନ ଭିନ୍ନ ରୂପ
ତୁମରି ବକ୍ଷେ ଶାୟିତ।
କୁତ୍ସିତ,ବିଭତ୍ସ ସମ୍ବୋହନ ପଣେ
କରିଥାଅ ପରାଜିତ ।

ଯେତେବେଳେ ତୁମେ ଅଙ୍ଗୀକାର ହୁଅ
ସତ୍ୟ,ଧର୍ମ,ନ୍ୟାୟ ପାଇଁ ।
ତୁମରି ମହତ୍ତ୍ୱ ଚିର ସ୍ମରଣୀୟ
ରହିଯାଅ ସ୍ମୃତି ହୋଇ ।

ଯେତେବେଳେ ତୁମେ ପ୍ରତାରକ ହୋଇ
ପ୍ରପଞ୍ଚର କ୍ରୀଡା କର ।
ସୁବର୍ଣ୍ଣ ସୀତା ବି କଳଙ୍କିନୀ ହୁଏ
ଏତେ ସେ ଖେଳ ନିଷ୍ଠୁର ।

ପ୍ରତାରଣା ପାଇଁ ରୁକ୍ଷ ରୂପ ନେଇ
ଯେତେବେଳେ ସଜ ହୁଅ ।
ଛଳନା,କପଟ, ଅନ୍ଧ ବୁଝାମଣା
ଅଙ୍ଗ ବସ୍ତ୍ର କରିଥାଅ ।

ସେଇ ରୂପେ ତୁମେ ଏତେ ମାରାତ୍ମକ
ମର୍ତ୍ତ୍ୟ ବି ଅମର୍ତ୍ତ୍ୟ ହୁଏ ।
ସଂକୀର୍ଣ୍ଣତା ସାଥେ ସୁନାର ସଂସାର
ଭାଙ୍ଗି ଚୁନା ହୋଇଯାଏ ।

ସ୍ୱାର୍ଥରେ ସ୍ୱାର୍ଥରେ ଅର୍ଥ ଲୋଭୀ ହୋଇ
ଧର୍ମ ଅଧର୍ମ ଭାବ ନା ।
ଲକ୍ଷ ହଜିଯାଏ ଭକ୍ଷକ ବୁକୁରେ
ଲୁପ୍ତ ହୁଏ ସମ୍ଭାବନା ।

ସମ୍ଭାବନା ସବୁ ଛିନ୍ନ ମସ୍ତକରେ
ଲହୁ,ଲୁହେ ହୁଏ ସିକ୍ତ ।
ସତ୍ୟ ପରାଜିତ ଧର୍ମ ଭୁ ଲୁଣ୍ଠିତ
ବିବେକ ହୁଏ ରକ୍ତାକ୍ତ ।

ନ୍ୟୁନ ସଂକୀର୍ଣ୍ଣତା ଅନ୍ଧ କରିଦିଏ
ତୁମକୁ,ତୁମ ପ୍ରାଣକୁ ।
ବିଧାତା ବି ବିଦ୍ଧ, ନିୟତି ଅସିଦ୍ଧ
ତୁମ ନାଟକ ପଣକୁ ।

ହେ ମହା ନାଟକ,ଅଭିନୟ ପକ୍ୱ
ତେଜ ମନୁ ସଂକୀର୍ଣ୍ଣତା ।
ମାନବକୁ ଦିଅ ମାନବୀୟ ବୁଦ୍ଧି
ଯୋଡିଯାଉ ବିଛିନ୍ନତା ।

ଅଭିନୟ ପୁଣ୍ୟ, ଧର୍ମରେ ସତ୍ୟରେ
ନ୍ୟାୟେ ହେଉ ନ୍ୟାୟ ବୀର।
ଅକ୍ଷର ହେଉ ଅମର ହେଉ
ଲକ୍ଷ ତୁମ ନାଟକର ।


Rate this content
Log in