ଆତ୍ମତୃପ୍ତି
ଆତ୍ମତୃପ୍ତି
ଶଶାଙ୍କ ଶେଖର ରାୟ
ଡେଣାଝାଡି ଉଡିବାକୁ ଦିଅ ମୋତେ
କପୋତଟିଏ ପରି ଖୋଲା ଆକାଶରେ
ଦୁଃଖ ଜଞ୍ଜାଳର ଦଉଡି ଖୋଲିଦିଅ
ଦଉଡିବି କଅଁଳା ବାଛୁରୀ ପରି ଗାଁ ଦାଣ୍ଡରେ ।
ଆମ୍ଵଡାଳେ ବସି ନିରୋଳାରେ ହଜିଯିବି
ଗାଈଆଳ ଟୋକାର ବେସୁରା ସଙ୍ଗୀତର ମୁର୍ଛନାରେ
ଦିନରାତି ଖଟିଖଟି କ୍ଲାନ୍ତ କୃଷକଟିଏ ପରି
ସଂଧ୍ୟାପ୍ରହରୁ ଶୋଇଯିବି ଅଚିନ୍ତା ନିଦରେ ।
ଶାନ୍ତ ସରଳ ନିର୍ବୋଧ କଅଁଳା ଶିଶୁ ଭଳି
ଖିଲିଖିଲି ହସ ଲାଗିଥାଉ ସଦା ଓଠରେ
ନିରବେ ଝରଣା ସାଜି ଆଗକୁ ବହିଯିବି
ପଥରର ବାଟ ଭାଙ୍ଗି ମିଶିଯିବି ନୀଳ ସାଗରେ ।
ଅଳ୍ପେ ସନ୍ତୁଷ୍ଟ କରିଦିଅ ମୋତେ ଏଠି
କିଛି ନୁହେଁ ମୋର ବ୍ୟାକୁଳିତ କାହିଁ ମୁହିଁ ଅଯଥାରେ ।
ତୁଳା ଠାରୁ ହାଲୁକା କରି ମନ ମୋର
ଆରେ ଉଡାଇନିଅ ଆକାଶର ବହୁ
ଉଚ୍ଚରେ
ସବୁଜ ବନାନୀର କୋଳେ
ଲୋଟିଗଲେ ଅବଶ ଶରୀର ଥରେ
ସକାଳ ସଂଧ୍ୟାର କଅଁଳ ସୂରୁଜ
ବୋଳିଦିଏ ପ୍ରଶାନ୍ତିର ନାଲି ଅଭିର ମୋ ମଥାରେ ।
ମୋ - 7377197999
ବଟରପଡା ରାଜକନିକା କେନ୍ଦ୍ରାପଡା
