ଆତ୍ମାହୁତି
ଆତ୍ମାହୁତି
ବନ୍ଦିଶାଳାର ଅସହାୟା ମୁଁ
ନିରବ ଦ୍ରଷ୍ଟା ପରି ପଡିଥାଏ କୋଣେ ଅନୁକୋଣେ
ଖୋଜୁଥାଏ ରାହା ମୁକ୍ତି ପଥର
ବଞ୍ଚିବା ପାଇଁ ଜଳ ଯେମିତି,ସେମିତି ପ୍ରତୀକ୍ଷଣେ
କଣ୍ଠରୁଦ୍ଧ ହେଇଯାଏ କ୍ଷଣେ କ୍ଷଣେ ମୋର
ଦେଖି ମୋର ଅସହାୟତାକୁ
ଚାହିଁ ମୁଁ ନଥିଲି ଏମିତି ଦୁନିଆଁ
ଯେଉଁଠି ହୁଏ ପ୍ରତି ମୁହୂର୍ତ୍ତରେ ମରିବାକୁ
ଖୋଲା ଆକାଶର ଟିକି ଚଢେଇ ମୁଁ
ସୁନା ପଞ୍ଜୁରୀରେ ହୋଇଛି ବନ୍ଦୀ
ଉଡିଯିବାପାଇଁ ବାଟ କିଛି ନାହିଁ
ସମୟ ଦେଇଛି ଶିକୁଳି ଛନ୍ଦି
ଭୁଲି ମୁଁ ଗଲିଣି ପ୍ରିୟର ଆଧାର
ଖାଉଛି ବଞ୍ଚିବା ପାଇଁ
ସୁଖନିଦ୍ରା ମୋର କେବେଠୁ ଗଲାଣି
ଶୋଉଛି ମୁଁ ଥକିଯାଇ
ବନ୍ଦୀ ଚଢେଇ ମୁଁ ପଞ୍ଜୁରି ଭିତରେ
ହେଉଅଛି ଛଟପଟ
ବଞ୍ଚିବା ପାଇଁ କି ରାହା ଖୋଜୁଅଛି
ଯାଉଛି ଥକି ମୋ ପାଦ
ଗଲା ଜନମର କର୍ମ ପାଇଁ ଅବା
ଭୋଗୁଛି ମୁଁ କର୍ମଫଳ
ପ୍ରତି ମୁହୂର୍ତ୍ତରେ ଗୁହାରି କରୁଛି
ମୁକ୍ତି ଦିଅ ଚକ୍ରଧର ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା