ଆସୁଛି ରଙ୍ଗର ପର୍ବ
ଆସୁଛି ରଙ୍ଗର ପର୍ବ
ରଙ୍ଗ ଫଗୁଣରେ ସାତ ରଙ୍ଗ ଭରି
ରଙ୍ଗର ପରବ ହୋଲି,
ସକଳ ମନରୁ ଭେଦା ଭେଦ ଭୁଲି
ପାଳିବା ମଉଜେ ହୋଲି ।
ରଙ୍ଗ ବସନ୍ତର ମନ୍ଦ ମନ୍ଦ ଛୁଆଁ
ପ୍ରୀତିର ଲାବଣ୍ୟ ଭରେ,
ଦୋଳବିମାନରେ ବିଜେ ମହାପ୍ରଭୁ
ଧରି ରାଧାରାଣୀ ଫଗୁ ଦଶମୀରେ ।
ପୂର୍ଣ୍ଣମୀର ପରେ ଆସେ ରଙ୍ଗ ହୋଲି
ମନ ଆନମନା ହୁଏ,
ରାଧାକୃଷ୍ଣ ପ୍ରେମେ ସଭିଏଁ ମାତନ୍ତି
ମାଦକତା ଭରି ଯାଏ ।
ପ୍ରେମର ପରବ ଏ ହୋଲି ଦିନଟି
ମନ ହୋଇଥାଏ ଓଦା,
ରଙ୍ଗର ଫଗୁଣ ଆଣିଛି ମେଲଣ
ମଧୁମକ୍ଷୀ ଖୁସିରେ ଭ୍ରମନ୍ତି ସଦା ।
ରାଧାକୃଷ୍ଣଙ୍କର ଅପୂର୍ବ ମିଳନ
ହୃଦୟେ ଜଗାଏ ଶାନ୍ତି,
ଅବଶ ମନଟା ପ୍ରେମ ପିୟୁଷରେ
ଭରିଦିଏ ଦେହେ ତାତି ।
ରଙ୍ଗ ବୋଳାବୋଳି ଆନନ୍ଦ ଲହର
ପୁରେ ପୁରେ ଲାଗିଥାଏ,
ପିଠା ମିଠା ଖିରି ଖେଚୁଡ଼ିର ବାସ୍ନା
ମର୍ତ୍ୟ ପୁରେ ଛୁଟିଥାଏ ।
ଜଗତକରତା ଶ୍ରୀକୃଷ୍ଣ ମୋହନ
ଦିଅନ୍ତୁ ହୃଦୟେ ପ୍ରୀତି,
ଏ ରଙ୍ଗ ପରବ ସଦା ଖୁସି ଦେଉ
ରାଧାକୃଷ୍ଣ ପ୍ରେମେ ମାତି।
