ଆସିଲି ମୁଁ ବର୍ଣ୍ଣବୋଧ
ଆସିଲି ମୁଁ ବର୍ଣ୍ଣବୋଧ
ଆରେ କୁନା ଟୁନା ମୁନା
ଯାଅନାହିଁ ରୁଷିରେ
ଆସିଲି ମୁଁ ବର୍ଣ୍ଣବୋଧ
ଧର ମୋତେ ଖୁସିରେ ।।
କୁହ କୁହ ଆଉ ଏବେ
ମନ ଊଣା କାହିଁକି
ଆଣିଛି ତ ଭଳି ଭଳି
ଛବି ତୁମ ପାଇଁକି ।।
ଚକ ଅଖ ବଗ ବନ
ଘର ପର ନେଉଳ
ନଳ କଳ ଝର ଫଳ
ଜଟ ଯଅ ଶେଉଳ ।।
ଆହୁରି ବି ଅଛି ଦେଖ
ଓଟ ଗଧ ମାଙ୍କଡ଼
ହାତୀ ଭାଲୁ ଆତ ଓଉ
ମୂଳା କୋବି କାଙ୍କଡ ।।
ଚୁନି ଚୁନି ଗୀତ ଆଉ
କୁନି ଗପ କେତେରେ
ସାଇତିଛି ତୁମ ଲାଗି
ଯେତେ ଚାହଁ ସେତେରେ ।।
କେବେହେଲେ ମୋ ଦେହକୁ
କରିବନି ମଳିଆ
ତୁମ ପାଶେ ଥିବି ମୁହିଁ
ସାଥିଟିଏ ଭଳିଆ ।।
ଧରି ମୋତେ ମନ ଦେଇ
ପଢିବଟି ଯିଏରେ
ଜାଣିଥାଅ ସୁନାପିଲା
ହେବ ଆଗ ସିଏରେ ।।
